ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବ ମଞ୍ଜୁର

0

ଭୁବନେଶ୍ବର, ୧୧।୧୦: ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୧୨୮୦କୋଟି ଟଙ୍କାର ମେଗା ଗ୍ରାମ୍ୟ ପାନୀୟ ଜଳଯୋଗାଣର ଚୂଡ଼ାନ୍ତ ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ରାଜ୍ୟ କ୍ୟାବିନେଟରେ ମୋଟ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟର ଗଞ୍ଜାମ, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ପ୍ରାୟ ୧୨୮୦ କୋଟି ଟଙ୍କାର ମେଗା ପାଇପ୍ ୱାଟର ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହେବେ। ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାଣି ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୭ଟି ବ୍ଲକର ୭୧ଟି ପଂଚାୟତର ୯୭୫ଟି ଗାଁର ୨.୭୯ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଏଲ୍‌ଆଣ୍ଡଟି ୬୫୭.୫୭କୋଟି ଟଙ୍କାର ଟେଣ୍ଡର ନେଇଛି। ଏହି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସାରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୨୨ଟି ପଂଚାୟତର ୩୩୮ଟି ଗାଁର ୧ ଲକ୍ଷ ୨୭ ହଜାର ଲୋକ ଓ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ୧୨ଟି ପଂଚାୟତ, ଫୁଲବାଣୀ ବ୍ଲକର ୧୧ଟି ପଂଚାୟତ, ଚକାପାଦ ବ୍ଲକର ୫ଟି ପଂଚାୟତ, ଖଜୁରୀପଡ଼ା ବ୍ଲକର ୧୨ଟି ପଂଚାୟତ, ଜି.ଉଦୟଗିରି ବ୍ଲକର ୨ଟି ପଂଚାୟତ, କେ.ନୂଆଗାଁ ବ୍ଲକର ୬ଟି ପଂଚାୟତରେ ଏହି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରିବ।

ସେହିପରି ରାୟଗଡ଼ା ଜିଲ୍ଲାର ୨ଟି ବ୍ଲକ କାଶୀପୁର ଓ ରାୟଗଡ଼ାର ମୋଟ ୨୮ଟି ପଂଚାୟତର ୪୭୪ଟି ଗାଁରେ ୧.୫୭ଲକ୍ଷ ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୮.୬୯କୋଟି ଟଙ୍କାର ଟେଣ୍ଡରକୁ ମୁମ୍ବାଇର ମେସର୍ସ କେଇସି-ଏସ୍‌ପିଏମ୍‌ଏଲ୍‌(ଯୌଥ ଉଦ୍ୟୋଗ)କୁ ଦିଆଯାଇଛି । ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ସରିବ। ଏହା ଦ୍ବାରା କାଶୀପୁର ବ୍ଲକର ୨୪ଟି ପଂଚାୟତ ଓ ରାୟଗଡ଼ା ବ୍ଲକର ୪ଟି ପଂଚାୟତ ଲୋକେ ଉପକୃତ ହେବେ। ସେହିପରି ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକର ୮୬ଟି ପଂଚାୟତର ୩୦୪ଟି ଗାଁରେ ବାସ କରୁଥିବା ୬.୬୪ଲକ୍ଷ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୩୨୫.୭୫କୋଟି ଟଙ୍କାର ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ମେସର୍ସ କେଇସି-ଏସ୍ପିଏମଏଲ୍ ନେଇଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ଏହି ୩ଟି ପ୍ରସ୍ତାବ ବ୍ୟତୀତ ଓଡ଼ିଶା ବୈଧ ମାପବିଜ୍ଞାନ ସେବା (ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତାବଳୀ) ଅଧିନିୟମ-୨୦୨୧ ପୁନର୍ବିନ୍ୟାସ, ଓଡ଼ିଶା ସିଭିଲ ସପ୍ଲାଏ ମାର୍କେଟ ଇଣ୍ଟିଲିଜେନ୍ସ ସର୍ଭିସ(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ-୨୦୨୧ ନିର୍ଦ୍ଧାରଣ, ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସା ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୪ରେ ସଂଶୋଧନ, ପ୍ରଚଳିତ ଓଡ଼ିଶା ଅବକାରୀ ସେବା ନିୟମକୁ ବାତିଲ କରି ‘ଓଡ଼ିଶା ଅବକାରୀ ସେବା ଶ୍ରେଣୀ-ଏ ଓ ବି(ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ନିୟମ-୨୦୨୧ର ପ୍ରଚଳନ, ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା(ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ) ନିୟମାବଳୀ-୨୦୨୧ର ପ୍ରସ୍ତୁତି, ଓଡ଼ିଶା ଲୋକାୟୁକ୍ତଙ୍କ ୨୦୨୦ ମସିହାର ବାର୍ଷିକ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ ପାଇଁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.