ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୨ କୋଟି ୮୦ ଲକ୍ଷ କରୋନା ଡୋଜ୍

ଭୁବନେଶ୍ବର, ୨୧।୯: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୨ କୋଟି ୮୦ ଲକ୍ଷ କରୋନା ଟିକା ଡୋଜ୍‌ ଦିଆସରିଛି। କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଗତକାଲି ସୁଦ୍ଧା ମୋଟ ୨.୮୦ କୋଟି ଡୋଜ୍ ଟିକା ଲୋକଙ୍କୁ ଦିଆଯାଇଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଗତକାଲି ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ୪ ଲକ୍ଷ ୧୬ ହଜାର ୪୫୪ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଜାନୁୟାରି ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୨ କୋଟି ୮୦ ଲକ୍ଷ ଟିକାକରଣ ହୋଇଥିବା ବେଳେ ଏଥିରେ ୬୬ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏବେ ରାଜ୍ୟ ସରକାରଙ୍କ ପାଖରେ ୨୨ ଲକ୍ଷ ଟିକା ମହଜୁଦ ହୋଇରହିଛି। ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଓଡ଼ିଶାରେ ଗୋଟିଏ ଦିଗରେ ୪.୧୬ଲକ୍ଷ ଟିକା ପ୍ରଦାନ କରାଯିବାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଏହା ଏକ ମାଇଲଖୁଣ୍ଟ ବୋଲି କହିଥିଲେ । ଏଥିପାଇଁ ସେ ସ୍ୱାସ୍ଥ୍ୟକର୍ମୀମାନଙ୍କର ପ୍ରତିବଦ୍ଧତା ଓ କଠିନ ପରିଶ୍ରମକୁ ପ୍ରଂଶସା କରିଥିଲେ।

 

Comments are closed.