ଭୁବନେଶ୍ବର, ୧୦/୩: ଓଡ଼ିଶାରେ ନୂତନ ସରକାର ଦାୟିତ୍ୱ ନେବା ପରଠାରୁ ମୋଟ କେତେ ଟଙ୍କା ଋଣ କରିଛନ୍ତି ଏବଂ କେଉଁ କାରଣ ପାଇଁ ଋଣ କରିଛନ୍ତି; ଋଣ ହୋଇଥିବା ଅର୍ଥ କେତେ ପରିମାଣ ଖୋଲା ବଜାରରୁ କରାଯାଇଛି ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି ।
ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ନୂଆ ସରକାର ବିଭିନ୍ନ ସୂତ୍ରରୁ ଏହି ଋଣ ଉଠାଇଛନ୍ତି। ଖୋଲାବଜାରରୁ ସର୍ବାଧିକ ୯ ହଜାର କୋଟି ଟଙ୍କାର ଋଣ ଉଠାଇଛନ୍ତି ମୋହନ ସରକାର। ଭାରତ ସରକାରଙ୍କ ଠାରୁ ଋଣ ଆଣିଛନ୍ତି ୭ ହଜାର ୧୪୯ କୋଟି ଟଙ୍କା।
ସେହିପରି ଓମ୍ୱାଡସି ଠାରୁ ୨ହଜାର ୭୫୦ କୋଟି ଓ କାମ୍ପାଠୁ ୨୩୭୦ କୋଟି ଟଙ୍କା ଋଣ କରିଛନ୍ତି। ବିଭିନ୍ନ ସୂତ୍ରରୁ ଆଣିଥିବା ଏହି ଋଣ ଟଙ୍କାକୁ ସରକାର ସଂପୂର୍ଣ୍ଣ ଭାବେ ପୁଞ୍ଜିନିବେଶ ଓ ବିଭିନ୍ନ ଉନ୍ନୟନମୂଳକ କାମରେ ଲଗାଇଛନ୍ତି। ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମୀ ଭଳି ଯୋଜନାରେ ଟଙ୍କା ଲଗାଇଛନ୍ତି ସରକାର। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି।