ବିଧାନସଭାରେ ପାରିତ ହେଲା ୩ ଗୁରୁତ୍ବପୂର୍ଣ୍ଣ ବିଲ୍

ଓଡ଼ିଶା ଜିଏସଟି ସଂଶୋଧନ ବିଲ୍, ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ସଂଶୋଧନ ବିଲ୍ ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ

ଭୁବନେଶ୍ବର, ୨।୯: ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ରାଜ୍ୟ ପାରିତ ହୋଇଛି।  ଓଡ଼ିଶା ଜିଏସଟି ସଂଶୋଧନ ବିଲ୍, ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ସଂଶୋଧନ ବିଲ୍ ଓ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ ଆଜି ବିଧାନସଭାର ଅନୁମୋଦନ ଲାଭ କରିଛି। ଏହାସହିତ ବସ୍ତିବାସିନ୍ଦାଙ୍କୁ ମାଗଣା ୩୦ ବର୍ଗମିଟର ଜାଗା ଦେବା ମାର୍ଗ ପ୍ରଶସ୍ତ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ।

ବିଧାନସଭାରେ ଆଜି ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ -୨୦୨୧କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଗତ କରିଥିଲେ। ଆଜି ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍‌ଟିକୁ ସରକାର ଗୃହରେ ପାରିତ କରାଇ ନେଇଥିଲେ। ବିଲକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ରାଜ୍ୟପାଳଙ୍କ ପୂର୍ବ ଅନୁମୋଦନ ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ବିଲ୍‌ରେ ଥିବା ପ୍ରାବଧାନ ଅନୁସାରେ, ଡାକ୍ତରୀ ଶିକ୍ଷା ଓ ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାରେ ଏହି ବିଶ୍ୱବିଦ୍ୟାଳୟ ସହାୟ ହେବ। ଓଡ଼ିଶା ୟୁନିର୍ଭସିଟି ଅଫ ହେଲଥ ସାଇନ୍ସ (ଓୟୁଏଚଏସ) ନାମରେ ଏକ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ଭାବେ ଏହା ପ୍ରତିଷ୍ଠା କରାଯିବ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟର ସମସ୍ତ ଆଲୋପାଥି, ହୋମିଓପ୍ୟାଥି, ଦନ୍ତ ଚିକିତ୍ସା , ମାନସିକ ସ୍ୱାସ୍ଥ୍ୟ, ଫାର୍ମାସୀ, ନର୍ସିଂ, ଆଲଏଡ୍ , ମେଡିକାଲ ସାଇନ୍ସ ଶିକ୍ଷା, ଫିଜିଓଥେରାପି ଓ ଅନ୍ୟାନ୍ୟ ମେଡିକାଲ ଓ ପାରାମେଡିକାଲ ଶିକ୍ଷାନୁଷ୍ଠାନ ରହିବ। ଏହା ମଧ୍ୟ ଏସବୁ ଶିକ୍ଷା କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବ। ଆବଶ୍ୟକୀୟ ଅନୁବନ୍ଧନ, ଉପଯୁକ୍ତ ବ୍ୟବସ୍ଥାଭିତ୍ତିକ ଆଦେଶ, ତାଲିମ ଓ ଅନୁସନ୍ଧାନକୁ ସୁନିଶ୍ଚିତ କରିବା ସମ୍ବନ୍ଧରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

Comments are closed.