ନଭେମ୍ବର ୨୦ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

0

ନୂଆଦିଲ୍ଲୀ/ଭୁବନେଶ୍ବର, ୧୯/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ ତାରିଖରୁ ତିନିଦିନିଆ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ନଭେମ୍ବର ୨୦ ତାରିଖ, ସୋମବାର ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର  ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ । ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ ।

ନଭେମ୍ବର ୨୧ତାରିଖ ମଙ୍ଗଳବାର ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ବାଦାମପାହାଡ଼ ରେଳଷ୍ଟେସନରେ ତିନୋଟି ନୂଆ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ୍‌ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ;  ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ; ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍‌ଘାଟନ କରାଯିବ । ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ । ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ।

ଆସନ୍ତା ୨୨ ତାରିଖରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ ।ଏହାପରେ ରାଷ୍ଟ୍ରପତି ପୁଟ୍ଟପର୍ତୀ ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

 

Leave A Reply

Your email address will not be published.