୩୭ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର, ନଭେମ୍ବର ୩୦: ଛତିଶଗଡ଼ର ଦନ୍ତେୱାଡା ପୁଲିସରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ୧୨ ଜଣ ମହିଳା କ୍ୟାଡରର ସଦସ୍ୟ ଅଛନ୍ତି। ଯେଉଁ ବନ୍ଧୁକରେ ବହୁ ସଂଖ୍ୟାରେ ନିରୀହ ଲୋକଙ୍କର ଜୀବନ ନେଇଥିଲେ, ସେଗୁଡ଼ିକୁ ପୁଲିସ ନିକଟରେ ହସ୍ତାନ୍ତର କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୨୭ ଜଣଙ୍କ ନାମରେ ୬୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ଡିଆରଜି କାର୍ଯ୍ୟାଳୟ ଦନ୍ତେୱାଡାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।

ଏହି ବଡ଼ଧରଣର ଆତ୍ମସମର୍ପଣ ପଛରେ ଡିଆରଜି, ବସ୍ତର ଫାଇଟର୍ସ, ସିଆରପିଏଫ୍‌ ବାହିନୀ ଏବଂ ଜଗଦଲପୁରସ୍ଥିତ ଆରଏଫ୍‌ଟିର ରଣନୀତି ରହିଛି। ଏମାନେ ମାସମାସ ଧରି ତୃଣମୂଳସ୍ତରରେ ଗୁଇନ୍ଦା ଏବଂ କ୍ରମାଗତ ଭାବେ ମାଓବାଦୀଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଫଳରେ ମାଓବାଦୀମାନେ ଉପାୟ ଶୂନ୍ୟ ହୋଇ ଶେଷରେ ଅସ୍ତ୍ର ପରିତ୍ୟାଗ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁସାରେ ୫୦ ହଜାର ଟଙ୍କା ତତ୍କାଲ ସହାୟତା ରାଶି ଦିଆଯିବ। ଏଥି ସହିତ ଦକ୍ଷତା ବିକାଶ ତାଲିମ, ଚାଷ ଜମି ଓ ସାମାଜିକ ଥଇଥାନ ଭଳି ସୁବିଧା ଉପଲବ୍ଧ କରାଯିବ। ମାଓବାଦୀଙ୍କୁ ଏହା କେବଳ ଅସ୍ତ୍ର ପରିତ୍ୟାଗ କରିବାର ପ୍ରେରଣା ଦେଇ ନାହିଁ, ବରଂ ଜୀବନର ନୂଆ ରାସ୍ତା ମଧ୍ୟ ମିଳିଛି।

୮-୮ ଲକ୍ଷ ପୁରସ୍କାର ଘୋଷିତ କୁମଲୀ ଓରଫ ଅନିତା ମଣ୍ଡାବୀ, ଗୀତା ଓରଫ ଲକ୍ଷ୍ମୀ, ରଂଜନ ମଣ୍ଡାବୀ ଓରଫ ଜାହାଜ ଭଳି ଅନେକ ମାଓବାଦୀମାନେ ଅତୀତରେ ବଡ଼ବଡ଼ ଏନ୍‌କାଉଣ୍ଟର ଅଂଶ ବିଶେଷ ହୋଇଥିଲେ। ୨ ନମ୍ବର କଂପାନିର ସଦସ୍ୟ ଭୀମା ଓରଫ ଜାହାଜ ୨୦୨୦ ଆକ୍ରମଣରେ ସାମିଲ ଥିଲା, ଯେଉଁଥିରେ ୨୬ ଜଣ ଯବାନ ସହିଦ ହୋଇଥିଲେ। ଘଟଣା ଦିନ ଯବାନମାନଙ୍କ ଠାରୁ ଅସ୍ତ୍ର ଲୁଟ୍‌ ହୋଇଥିଲା। ତାଲିକାରେ ୫ ଲକ୍ଷ, ୨ ଲକ୍ଷ ଏବଂ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀଙ୍କ ଲମ୍ବା ଧାଡ଼ି ରହିଛି, ଯାହାଙ୍କର କାନ୍ଧରେ ଏରିଆ କମିଟି, ମିଲିସିଆ, ଜନତାନା ସରକାର ଠାରୁ ଆରମ୍ଭ କରି ପୋଷ୍ଟର, ବ୍ୟାନର, ରାସ୍ତା କାଟିବା ଏବଂ ବିସ୍ଫୋରକ ସାମଗ୍ରୀ ଖଞ୍ଜିବାର ଦାୟିତ୍ବ ଥିଲା।

 

Comments are closed.