ଭୁବନେଶ୍ୱର, ୧୪/୫: ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍ଆଇଆର୍) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଥିବା କମିଶନ ସୂଚନା ଦେଇଛନ୍ତି।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ୍ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ। ଏହି ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ।
ରାଜ୍ୟରେ ହେବାକୁ ଥିବା ଏହି ବ୍ୟାପକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭ ହଜାର ୭୨୩ ଜଣ ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ନିୟୋଜିତ ହୋଇଛନ୍ତି।
ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ କରି ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୯ କୋଟି ଭୋଟରଙ୍କ ତଥ୍ୟ ସଫଳତାର ସହ ସଂଶୋଧନ କରାଯାଇଥିଲା। ଏହି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ୬.୩ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୯.୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ମାନଙ୍କୁ ନିଯୁକ୍ତ କରାଯାଇଥିଲା।
Comments are closed.