ତେଜୁଛି ୪ ଫୁଟ ଉଚ୍ଚ ମୂର୍ତି ବିବାଦ

ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ

0

କଟକ, ୧୨।୮:ଦୁର୍ଗାପୂଜା ପାଇଁ ୪ ଫୁଟ୍ ଉଚ୍ଚ ମୂର୍ତ୍ତି କଟକଣା ଜାରି ରହିବ ବୋଲି ସରକାରଙ୍କ ଘୋଷଣା ପରଠୁ ପୁଣି ତେଜିଛି ମୂର୍ତି ଉଚ୍ଚତା ବିବାଦ। ଏ ପ୍ରସଙ୍ଗକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଖୋଦ୍ ଶାସକ ଦଳର ସାଂସଦ ଓ ନେତା। ଗତକାଲି ଶାନ୍ତି କମିଟି ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ କହି ତାତ୍ସଲ୍ୟ କରିବା ପରେ ଆଜି ତାଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଏସବୁ ଭିତରେ ଆସନ୍ତାକାଲି ଦଳପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ କଟକ ବନ୍ଦ ଡାକରାକୁ ସଫଳ କରିବାକୁ ସହରବାସୀ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ପୂଜାକମିଟିଙ୍କୁ ଆହ୍ୱାନ ଦେଇଛି ବିଜେପି।
ଗତକାଲି ଶାନ୍ତି କମିଟି ବୈଠକରେ ଉଚ୍ଚତା କଟକଣା ହଟାଇବା, କୋଭିଡ୍ କଟକଣା ଭିତରେ ମଣ୍ଡପରେ ଦେବୀ ଦର୍ଶନ ଅନୁମତି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନେବା ଲାଗି ସର୍ବସମ୍ମତ ପ୍ରସ୍ତାବ ଗୃହିତ ହେବା ପରେ ଆସନ୍ତା କାଲି ରାସ୍ତାକୁ ଓହ୍ଲାଉଛି ବିଜେପି। ସକାଳ ୬ରୁ ସଂଧ୍ୟା ୬ ଯାଏ ଦେଇଛି କଟକ ବନ୍ଦ ଡାକରା । ଏଥିପାଇଁ ସହରରେ ଆଜି ପ୍ରଚାର ଗାଡ଼ି ବୁଲିଛି । ହେଲେ ଏଇ ୧୨ ଘଣ୍ଟିଆ ବନ୍ଦ ଡାକରାରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ଦେ ଏଇ ଘୋଷଣା କରିବା ସହ କଟକ ମୁରବୀଙ୍କୁ ସରକାର ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ ଓ ସରକାର ମଧ୍ୟରେ ତାଳମେଳ ରହୁ ନଥିବା କହି ଟାର୍ଗେଟ୍ କରିଛନ୍ତି । ବନ୍ଦ ଡାକରାକୁ ବିଭିନ୍ନ ପୂଜା କମିଟିର ସମର୍ଥନ ବି ମିଳିଛି ବୋଲି ସେ କହିଛନ୍ତି।
ଏ ପଟେ ଶାନ୍ତି କମଟି ବୈଠକ ବେଳେ ଖୋଦ୍ ଶାସକ ଦଳ ସାଂସଦ ଭର୍ତ୍ତୃହରି ମହତାବ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହିବା, ଆଉ ଦୁଇ ଫୁଟ୍ ଅଢ଼େଇ ଫୁଟ୍ରେ କଣ କରୋନା ଡରି ପଳାଉଛି ବୋଲି କହି ତାତ୍ସଲ୍ୟ କରିବା ପରେ ଆଜି ତାଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। କହିଛନ୍ତି, ସାଂସଦଙ୍କ ମନ୍ତବ୍ୟ କଟକରେ ବିଭ୍ରାଟ ସୃଷ୍ଟି କିରଛି । ନିଷ୍ପତ୍ତି କେବଳ କଟକ ସହର ନୁହେଁ ସାରା ରାଜ୍ୟ ପାଇଁ ନିଆଯାଇଥିଲା ବେଳେ ଭର୍ତ୍ତୃହରିଙ୍କ ବିରୋଧ ପଛର ଯୁକ୍ତି ଜାଣି ହେଉନି। ଦୁର୍ଗା ପୂଜା ପାଇଁ ମାସେରୁ କମ୍ ସମୟ ଥିବା ବେଳେ ଆଗକୁ ଏ ବିବାଦ କେଉଁ ରୂପ ନେଉଛି, ନିଷ୍ପତ୍ତି କାଏମ୍ ରହୁଛି ନା ବଦଳୁଛି ଏବେ ତା ଉପରେ ନଜର।

Leave A Reply

Your email address will not be published.