ଭୁବନେଶ୍ବର: ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହିଳା କଲ୍ୟାଣ ଯୋଜନା ‘ସୁଭଦ୍ରା’ର ପ୍ରାୟ ୪ଲକ୍ଷ ୫୭ହଜାରରୁ ଅଧିକ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୧୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିବିଟି (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍) ମାଧ୍ୟମରେ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ବିତୀୟ ଅବଶିଷ୍ଟ ଓ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀଙ୍କୁ ଏବଂ ନୂତନ ଭାବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଜୀକୃତ ହୋଇଥିବା ହିତାକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।
ପ୍ରଦାନ କରାଗଲା ୩୧୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି
ଏବେ ସୁଦ୍ଧା ଏକ କୋଟିରୁ ଅଧିକ ମହିଳା ପାଇଲେଣି ୧୫ ହଜାର କୋଟିରୁ ଅଧିକ ଟଙ୍କା
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ବାର୍ଷିକ ୧୧ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ‘ସୁଭଦ୍ରା’ ହେଉଛି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ସର୍ବବୃହତ୍ ମହିଳାକୈନ୍ଦ୍ରିକ ଯୋଜନା। ଯେଉଁଥିରେ ୨୧ରୁ ୬୦ ବର୍ଷ ବୟସର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ, ମୋଟ ୫୦ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ଅଦ୍ୟାବଧି ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ମୋଟ ୧୫ ହଜାର କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇସାରିଛି। ଏହି ଦୁଇଟି କିସ୍ତିକୁ ପ୍ରତିବର୍ଷ ରାଖି ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ସରକାର ମହିଳାଙ୍କ ଜୀବନର ଏକାଧିକ ଦିଗରେ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି। ଆର୍ଥିକ ସ୍ୱାଧୀନତା ଆତ୍ମବିଶ୍ୱାସ ଆଣିଥାଏ। ଯେତେବେଳେ ଜଣେ ମହିଳାଙ୍କ ହାତରେ ଟଙ୍କା ଥାଏ, ପରିବାର ଏବଂ ସମାଜରେ ତାଙ୍କର ସ୍ୱର ଅଧିକ ଶକ୍ତିଶାଳୀ ହୋଇଯାଏ।
ସେ ନିଷ୍ପତ୍ତି ନେଇପାରନ୍ତି। ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି ଏବଂ ସାହସର ସହିତ ଆହ୍ବାନଗୁଡ଼ିକର ସମ୍ମୁଖୀନ ହୋଇପାରନ୍ତି। ସୁଭଦ୍ରା ଯୋଜନା ମହିଳାଙ୍କୁ ସେହି ଆତ୍ମବିଶ୍ୱାସ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ସୁଭଦ୍ରା ଯୋଜନା ଶିଖାଇ ଦେଇଛି ଯେ ମହିଳାଟିଏ ନିଜ ବଳରେ ନିଜର ଉଦ୍ୟମିତା ଆରମ୍ଭ କରିପାରେ। ସମ୍ମାନ, ସ୍ୱାବଲମ୍ବୀ ଓ ସ୍ୱାଭିମାନର ଲକ୍ଷ୍ୟ ନେଇ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ହୋଇପାରିବ। ଏହି ଅବସରରେ ୫ ସଫଳ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ଏବଂ ସହାୟତା ରାଶି ଚେକ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ବିଭାଗୀୟ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.