୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦ୍‌ଘାଟିତ: ୪ ମେଡିକାଲ କଲେଜର ରୂପାନ୍ତର ପାଇଁ ଭିତ୍ତିପ୍ରସ୍ତର

ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୩/୩: ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲର ଉଦ୍‌ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି। ଉଦ୍‌ଘାଟିତ ହୋଇଥିବା ଟିଚିଂ ହସ୍‌ପିଟାଲ ହେଉଛି ବଲାଙ୍ଗୀରରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଓ ବାଲେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ। ଏହାସହ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜିର ଦିନ ମାଇଲଖୁଣ୍ଟ ହୋଇରହିବ। ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍ପିଟାଲ‌ରେ ୨,୯୫୦ ଶଯ୍ୟା ଯୋଡ଼ି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି।

ବଲାଙ୍ଗୀରରୁ ବାରିପଦା, ସୁନ୍ଦରଗଡ଼ରୁ କେନ୍ଦୁଝର ଓ ବାଲେଶ୍ୱର ସବୁ ଅଞ୍ଚଳର ଜନସାଧାରଣ ଏହାଦ୍ୱାରା ଉପକାର ପାଇବେ। ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢ଼ିଛି। ଦିନଥିଲା ରାଜ୍ୟରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢ଼ି ଉଠିଛି। ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି। ପ୍ରତିବର୍ଷ ଡାକ୍ତର ଓ ପାରାମେଡିକ୍‌ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଉଛି। ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମ୍‌ବିବିଏସ୍‌ ଡାକ୍ତର ଓ ୨୫୪ ଜଣ ସ୍ପେଶାଲିଷ୍ଟ ବାହାରୁଥିଲେ। ଏବେ ୨୫୨୫ ଏମ୍‌ବିବିଏସ୍‌ ଡାକ୍ତର ଓ ୯୭୨ ସ୍ପେଶାଲିଷ୍ଟ ବାହାରୁଛନ୍ତି। କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲାର ଭିମସାର ଓ ରାଉରକେଲାର ଆଇଜିଏଚ୍‌କୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ରୂପାନ୍ତର କରିବା ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।

ବୁର୍ଲାଠାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରି କହିଥିଲେ ଯେ ଗ୍ରାମାଞ୍ଚଳର ସବୁ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡକୁ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ। ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଯେଉଁ ପ୍ରସ୍ତାବ ଓ ଅଭିଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ତାହାକୁ ଗ୍ରହଣ କରିଛନ୍ତି। ଖୁବ୍‌ ଶୀଘ୍ର ତାହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀରରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ସୁନ୍ଦରଗଡ଼ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଂଯୋଜକ ଯୋଗେଶ ସିଂ, କଟକରେ ବିଧାୟକ ସୌଭିକ ବିଶ୍ୱାଳ, ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ଡିଏମ୍‌ଇଟି ଧନ୍ୟବାଦ ଦେଇଥିଲେ।

 

Leave A Reply

Your email address will not be published.