ଭୁବନେଶ୍ୱର, ୨୦।୬ : ଅନାଥ ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଯୋଜନା ଘୋଷଣା କରିଛନ୍ତି। ଅନାଥ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନକାରୀ ବାପା ବା ମାଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା। ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଶୀର୍ବାଦ ଯୋଜନାରେ ଏହି ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ଵଜନମାନଙ୍କ ଗହଣରେ ହିଁ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ବାପା ମା ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ମାସିକ ୨୫୦୦ଟଙ୍କା ଇଲେକ୍ଟ୍ରୋନିକାଲି ଜମା କରାଯିବ । ପିଲାଙ୍କୁ ୧୮ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ।
ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ଏହି ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ବାପା ମାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥିଲେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ।
ପିଲାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିକ୍ଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ । ଉଚ୍ଚ ଶିକ୍ଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ଗ୍ରୀନ୍ ପ୍ୟାସେଜ୍ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ । ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଆଉଟ ଅଫ୍ ଟର୍ଣ୍ଣରେ ଘର ମଞ୍ଜୁର କରାଯିବ । ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ, ଆଉଟ ଅଫ ଟର୍ଣ୍ଣରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତହସିଲଦାର ଓ ପୋଲିସ ସହ ସମନ୍ଵୟ ରଖି ଆବଶ୍ୟକ ପଦକ୍ଷେପ ନେବେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ, ଜୁବେନାଇଲ୍ ଜଷ୍ଟିସ୍ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏହି ପିଲାମାନଙ୍କୁ ସହାୟତା ମିଳିପାରିବ । ଏହି ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଚାଇଲ୍ଡ କେୟାର ସଂସ୍ଥାରେ ରୁହନ୍ତି ତେବେ ସେହି କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକହଜାର ଟଙ୍କା ରିକିଓରିଂ ଡିପୋଜିଟ୍ ଭାବରେ ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଟଙ୍କା ଜମା କରାଯିବ । ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ । ପିଲାର ଶିକ୍ଷା ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ଉପର ବର୍ଣ୍ଣିତ ଵ୍ୟଵସ୍ଥା ଅନୁଯାୟୀ କରିଯିବ ।
ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା ପାଖରେ ରହୁଥିବ ସେ କ୍ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତାର ଭରଣପୋଷଣ ପାଇଁ ବଞ୍ଚି ଥିବା ମା ବା ବାପା କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧୫୦୦ଟଙ୍କା ଜମା କରାଯିବ । ପିଲାକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ । ପିଲାର ମା ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ । ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ । ଏତଦ୍ ବ୍ୟତୀତ ମାଗଣା ଶିକ୍ଷା ସ୍ଵାସ୍ଥ୍ୟ ଵୀମା ଆଦି ଉପର ବର୍ଣ୍ଣିତ ସମସ୍ତ ସୁବିଧା ପିଲାକୁ ମିଳିବ । ଜିଲ୍ଲା ଶିଶୁ ସୁରକ୍ଷା ବାହିନୀ, ଚାଇଲ୍ଡଲାଇନ୍ ତଥା ପଞ୍ଚାୟତ ସ୍ତରୀୟ ବ୍ଲକ କମିଟି ଫ୍ରଣ୍ଟଲାଇନ୍ ୱାର୍କର ସିଭିଲ୍ ସ୍କୁଟି ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ। ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ DCPUଙ୍କୁ ଆବେଦନ କରିପାରିବେ । ଅସମୟରେ ବାପା ମାଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ୍ ନ ପଡନ୍ତି ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ପେଶାଲ୍ ଡ୍ରାଇଭ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Comments are closed.