କଟକ, ୧୪।୭: କ୍ରମାଗତ ଦ୍ୱିତୀୟ ଥର ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆପୋସ ଆଲୋଚନା ବିଫଳ ହୋଇଛି। ଦୁହେଁ ଆଜି ପ୍ରାୟ ଅଢେଇ ଘଣ୍ଟା ଧରି ଆଲୋଚନାରେ ବସିବା ପରେ ମଧ୍ୟ ସମାଧାନର କୌଣସି ବାଟ ବାହାରିଲାନାହିଁ । ଶେଷରେ ପରିବାର ଅଦାଲତ ଉଭୟଙ୍କ ମଧ୍ୟରେ ପୁଣି ଥରେ ଆପୋସ ଆଲୋଚନା ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଆପୋସ ଆଲୋଚନା ଫଳପ୍ରଦ ହେଉନଥିବାରୁ ଏହାକୁ ବନ୍ଦ କରିବା ପାଇଁ ଅନୁଭବ ମହାନ୍ତି ଆଜି ଅଦାଲତରେ ଏକ ପିଟିସନ୍ ଦାଏର କରିଛନ୍ତି ।
ଗତ ୯ ତାରିଖରେ ଉଭୟ ପକ୍ଷ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ବସି ବିବାଦ ତୁଟାଇବା ପାଇଁ ଆଲୋଚନା କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା କରିଥିଲେ ମଧ୍ୟ ନିଷ୍କର୍ସ କିଛି ମିଳିନଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଆଜି ଦ୍ୱିତୀୟ ଥର ପାଇଁ ଉଭୟ ଆଲୋଚନାକୁ ଆସିଥିଲେ। ଉଭୟ ଦିନ ପ୍ରାୟ ସାଢେ ୧୧ଟାରେ ପରିବାର ଅଦାଲତର କନସିଲେସନ୍ ସେଲ୍ରେ ପହଞ୍ଚିଥିଲେ । ୨ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଉଭୟ ପକ୍ଷ କୌଣସି ସମାଧାନରେ ସହମତ ହୋଇନଥିଲେ । ଅପରପକ୍ଷରେ ଆଜି ଏହି ମାମଲାରେ ଅନୁଭବ ମହାନ୍ତି ଏକ ପିଟିସନ୍ ଫାଇଲ୍ କରିଛନ୍ତି । ସେ ଏଥିରେ ଦର୍ଶାଇଛନ୍ତି ଯେ, ଏହି ଆପୋସ ଆଲୋଚନାରୁ କିଛି ନିଷ୍କର୍ସ ମିଳିବନି । ଏଥିରେ ଅଯଥାରେ ଅଦାଲତଙ୍କର ସମୟ ନଷ୍ଟ ହେଉଛି । ତେଣୁ ଏହି ଆପୋସ ଆଲେଚନା ବନ୍ଦ କରି ମାମଲାର ଶୁଣାଣିକୁ ଆଗକୁ ବଢାଇବା ଲାଗି ଅନୁଭବ ପ୍ରାର୍ଥନା କରିଛନ୍ତି । ଏହା ଉପରେ ବର୍ଷାଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ରାମକୃଷ୍ଣ ରଥ ପ୍ରତିଜବାବ ରଖିବେ । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ପଟିଆଲା କୋର୍ଟରେ ବର୍ଷାଙ୍କୁ ଛାଡପତ୍ର ନେଇ ଅନୁଭବ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲା ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା । ଏବେ କଟକ ପରିବାର ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଛି ।
Comments are closed.