ଅକ୍ଟୋବର ୩୧ ତାରିଖ ଯାଏ ପରିବହନ ନିୟମକୁ କୋହଳ କଲେ ରାଜ୍ୟ ସରକାର

0

ଭୁବନେଶ୍ବର, ୩୦।୯: କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ପରିବହନ ନିୟମକୁ କୋହଳ କରିଥିବା ରାଜ୍ୟ ସରକାର ଏବେ ପୁଣି ଥରେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କୋହଳ ଅବଧିକୁ ବୃଦ୍ଧି କରିଛନ୍ତି। ୨୦୨୦ ଫେବୃୟାରୀ ପହିଲାରୁ ଅବା ୨୦୨୧ ଅକ୍ଟୋବର ୩୧ତାରିଖ ପୂର୍ବରୁ ବୈଧତା ଶେଷ ହୋଇଥିବା ଅବା ହେଉଥିବା ଗାଡ଼ିର ଫିଟନେସ ସାର୍ଟିଫିକେଟ୍, ଅଣପରିବହନ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣସ ଲାଇସେନ୍ସ, ମାଲବାହୀ ଗାଡ଼ି, ଘରୋଇ ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକର ପରମିଟ୍ ଅବଧିର ବୈଧତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଜି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ପରିବହନ କମିସନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ ଏସବୁ ପ୍ରମାଣପତ୍ରର ବୈଧତାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲେ ମଧ୍ୟ ସମସ୍ତ ଆଂଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କୁ ସମସ୍ତ କାର୍ଯ୍ୟ ଦିବସରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ କରାଇବା ନିମନ୍ତେ ୩୦ ଦିନ ଯାକ ଅଗ୍ରୀମ ବୁକିଂ କରାଯାଇ ପାରିବ ବୋଲି କୁହାଯାଇଛି। ଏହାସହିତ ଲର୍ଣ୍ଣିଂ ଲାଇସେନ୍ସ ପାଇଥିବା ଆବେଦନକାରୀମାନେ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇ ଆବେଦନ କରିପାରିବେ। ଯଦି ଆବେଦନକାରୀ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଫି’ ଦେଇସାରିଥିବେ ତା’ହେଲେ ସମ୍ପୃକ୍ତ ଆରଟିଓରେ ସ୍ଲଟ୍ ଉପଲବ୍ଧ ନଥିଲେ ସେ ଆରଟିଓ କାର୍ଯ୍ୟାଳୟରେ ଯୋଗାଯୋଗ କରି ଯେଉଁ ଆରଟିଓ ଅଧୀନରେ ସ୍ଲଟ୍ ଫାଙ୍କା ଥିବ ସେଠାରେ ସ୍ଲଟ୍ ବୁକିଂ କରି ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ସେହିପରି ୨୦୨୦ ଫେବୃୟାରୀ ପହିଲା ପୂର୍ବରୁ କିମ୍ବା ପରେ ଗାଡ଼ିର ଫ୍ୟାନ୍ସି ନମ୍ବର ବୁକ୍ କରିଥିବା ଆବେଦନକାରୀଙ୍କ ପାଇଁ ମଧ୍ୟ ନିୟମ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ କୋହଳ ହୋଇଛି। ତେବେ ଗାଡ଼ିର ଇନ୍ୟୁରାନ୍ସ ସାର୍ଟିଫିକେଟ୍‌, ପ୍ରଦୂଷଣ ସାର୍ଟିଫିକେଟ୍‌, ଅସ୍ଥାୟୀ ପରମିଟର ବୈଧତା, ଟୁରିଷ୍ଟ ଗାଡ଼ି ଓ ମାଲବାହୀ ଗାଡ଼ିଗୁଡ଼ିକର ବାର୍ଷିକ କମ୍ପୋଜିଟ୍ ଟ୍ୟାକ୍ସ ପ୍ରଦାନ ବୈଧତା ଅବଧିକୁ ଆଉ ବୃଦ୍ଧି କରାଯାଇ ନାହିଁ ବୋଲି ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.