ନୂଆଦିଲ୍ଲୀ,୧୨।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଡିଗ୍ରୀ ପାଠ୍ୟକ୍ରମକୁ ନେଇ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଶିକ୍ଷାର୍ଥୀଙ୍କୁ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାର ଅନୁମତି ମିଳିବ। ଏ ସମ୍ପର୍କରେ ୟୁଜିସି ଯୋଜନା କରିଥିବା ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଶିକ୍ଷାର୍ଥୀମାନେ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ପାଇବେ। ଏ ସମ୍ପର୍କରେ ୟୁଜିସି ପକ୍ଷରୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ। ‘ନୂଆ ଜାତୀୟ ଶିକ୍ଷା ନୀତି’ରେ ଯେଉଁ ସବୁ କଥା ଘୋଷଣା କରାଯାଇଛି ଓ ଶିକ୍ଷାର୍ଥୀମାନଙ୍କୁ ଏକାଧିକ ଦକ୍ଷତା ହାସଲ କରିବାକୁ ଅନୁମତି ଦେବା ପାଇଁ ୟୁଜିସି ନୂତନ ନିର୍ଦ୍ଦେଶାବଳୀ ଜାରି କରିବ ବୋଲି ସେ କହିଛନ୍ତି।
ଏହାଦ୍ୱାରା ପିଲାମାନେ ଗୋଟିଏ ସମୟରେ ଦୁଇଟି ଡିଗ୍ରି କୋର୍ସ କରିବାକୁ ସୁଯୋଗ ପାଇବେ। ଏପରି ନିଷ୍ପତ୍ତି ପରେ ପିଲାମାନେ ସଂପୂର୍ଣ୍ଣ ଫିଜିକାଲ ମୋଡ କିମ୍ବା ଫିଜିକାଲ ଓ ଅନଲାଇନ ମୋଡ୍ କିମ୍ବା ସଂପୂର୍ଣ୍ଣ ଅନଲାଇନ ମୋଡରେ ଉଭୟ କୋର୍ସ କରିପାରିବେ। ଦୁଇଟି ୟୁଜି/ପିଜି ଡିଗ୍ରୀ ଓ ଡିପ୍ଲୋମା କୋର୍ସ କରିବାକୁ ପିଲାମାନଙ୍କୁ ସୁଯୋଗ ମିଳିବ।
ଭାରତର ବଡ଼ବଡ଼ ବିଶ୍ୱ ବିଦ୍ୟାଳୟ ନିଜ ଇଚ୍ଛା ଅନୁସାରେ ଅନ୍ଲାଇନରେ କେଉଁ ସବୁ ଡିଗ୍ରି କୋର୍ସ ରହିବ, ତା’ର ନିଷ୍ପତ୍ତି ନେବେ। ଏ ସମ୍ପର୍କିତ ନୂଆ ଗାଇଡଲାଇନ ଦୁଇ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି ଜଗଦୀଶ କୁମାର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏକାସଙ୍ଗେ ୨ଟି ଡିଗ୍ରି କୋର୍ସ ନିୟମ ୨୦୨୨-୨୩ ଶିକ୍ଷାବର୍ଷରୁ ହିଁ ଲାଗୁ କରିବାକୁ ୟୁଜିସି ଯୋଜନା କରିଛି।
Comments are closed.