ଏଥର ମାତ୍ର ୧୦ ଦିନ ଖରା ଛୁଟି, ଜୁନ୍‌ ୬ ରୁ ୧୬ ଖରାଛୁଟି ଘୋଷଣା

ଭୁବନେଶ୍ବର, ୧୬।୪: ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ ସରକାର। ପ୍ରତିବର୍ଷ ଦେଢ଼ ମାସରୁ ଊର୍ଧ୍ବ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ମାତ୍ର ୧୦ ଦିନରେ ଏହାକୁ ସୀମିତ ରଖାଯାଇଛି। ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ଗୁଡ଼ିକରେ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କରୋନା କାରଣରୁ ଗତ ୨ ବର୍ଷ ହେବ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା। ସେଥିପାଇଁ ଏଥର ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି। ଏହା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଅବ୍ୟାହତ ରହିବ। ତେବେ ସକାଳୁଆ ସ୍କୁଲ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ମେ’ ୧ ତାରିଖରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଉପଯୁକ୍ତ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯିବ ବୋଲି କୁହାଯାଇଛି।

ସେହିପରି ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ କରାଯିବ। ହେଲେ ଏଥିନିମନ୍ତେ ପରୀକ୍ଷା କରାଯିବ ନା ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ମିଳିବ, ସେ ନେଇ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।  ଏହାବାଦ୍‌ ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରି-ଆଡମିଶନ୍‌ ସାରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଫଳ ପ୍ରକାଶ କରିବା ତଥା ସେମାନଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରିବା ପ୍ରକ୍ରିୟାକୁ ମେ’ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।

 

Comments are closed.