୨୪ରେ ଭୁବନେଶ୍ୱର କ୍ଲବ୍‌ ନିର୍ବାଚନ

ଭୁବନେଶ୍ୱର,୨୧/୯: ପୁଣି ଥରେ ଦେଖିବାକୁ ମିଳିବ ସମ୍ଭ୍ରାନ୍ତ ଲଢ଼େଇ। ରାଜ୍ୟର ସବୁଠୁ ନାମୀ ଓ ଦାମୀ କ୍ଲବ୍‌ର ନୂଆ ସଭାପତି ବଛା ହେବେ। ଆସନ୍ତା ୨୪ରେ ହେବ ହାଇପ୍ରୋଫାଇଲ୍‌ ଭୁବନେଶ୍ୱର କ୍ଲବ୍‌ର ଭୋଟ୍‌। ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କୁ ପ୍ରତିଦ୍ୱନ୍ଦିତା କରିବେ ପୂର୍ବତନ ଉନ୍ନୟନ କମିଶନର ତଥା ଓଇଆରସି ଅଧ୍ୟକ୍ଷ ସତ୍ୟପ୍ରକାଶ ନନ୍ଦ।

ଗତବର୍ଷ ହୋଇଥିବା ଭୋଟ୍‌ରେ ବରିଷ୍ଠ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ହରାଇ ଅସିତ୍‌ ତ୍ରିପାଠୀ ସଭାପତି ହୋଇଥିଲେ। ଅସିତ୍‌ଙ୍କ ପୂରା ପ୍ୟାନେଲ ଭୋଟ୍‌ରେ ବାଜିମାତ୍‌ କରିଥିଲା। ଏଥର ଅସିତଙ୍କ ପ୍ୟାନେଲ ସହ ସତ୍ୟପ୍ରକାଶଙ୍କ ଟିମ୍‌ ମୁହାଁମୁହିଁ ହେବ।  ଅସିତ୍‌ଙ୍କ ଟିମ୍‌ର ସ୍ଲୋଗାନ୍‌ ରହିଛି, ଟ୍ରାନ୍ସଫର୍ମମେସନ୍‌ ବା ରୂପାନ୍ତରଣକୁ ଜାରି ରଖିବା। ଅସିତ୍‌ କ୍ଲବ୍‌ ଦାୟିତ୍ୱ ନେବା ପରେ କ୍ଲବ୍‌ର ଚେହେରା ବଦଳିଛି। କ୍ଲବ୍‌ର ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି। ଏହି ରୂପାନ୍ତରଣ ଜାରି ରହିବ ବୋଲି ନାରା ଦେଇ ତାଙ୍କ ଟିମ୍‌ ଭୋଟ୍‌ ମାଗୁଛନ୍ତି। ସେପଟେ ସତ୍ୟପ୍ରକାଶ ଟିମ୍‌ର ନାରା ଅଛି, ଆସ କ୍ଲବ୍‌କୁ ବଞ୍ଚାଇବା । ପରିବର୍ତ୍ତନ ପାଇଁ ଭୋଟ୍‌ ଦିଅନ୍ତୁ, କ୍ଲବ୍‌ର ଗୌରବ ଅକ୍ଷୂର୍ଣ୍ଣ ରହୁ ବୋଲି କହି ସେମାନେ ସମର୍ଥନ ମାଗୁଛନ୍ତି ।

ଅସିତ୍‌ଙ୍କ ଟିମ୍‌ରୁ ଉପସଭାପତି ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାଏ ଓ ଯୁଗ୍ମ ସଚିବ ପାଇଁ ଅଶୋକ କୁମାର ମିଶ୍ର ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି। ଏହି ଟିମ୍‌ ବିପକ୍ଷରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ତାପେସ ରାୟ। ମାନସ ରଞ୍ଜନ ଦାସ ସମ୍ପାଦକ ଓ ଜ୍ୟୋତିର୍ମୟ ମହାନ୍ତି ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢୁଛନ୍ତି। ଆସନ୍ତା ଶନିବାର ଏହି ହାଇଭୋଲଟେଜ୍‌ ନିର୍ବାଚନ ଅନୁଷ୍ଠିତ ହେବ।

Comments are closed.