ଭୁବନେଶ୍ବର, ୧/୨: ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ କମ୍ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। ୧୨୭୬ କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)କୁ ପ୍ରଶ୍ନପତ୍ର ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୧୨ରୁ ୧୫ ତାରିଖ ମଧ୍ୟରେ ବିଭିନ୍ନ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଯିବ। ଉପାନ୍ତ ତଥା ଦୂର ଜିଲ୍ଲାରେ ଥିବା ହବ୍ଗୁଡ଼ିକୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ବତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ସିଏଚ୍ଏସ୍ଇ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶ୍ନପତ୍ର ପଠାଯିବା କାର୍ଯ୍ୟ ଅନୁଷ୍ଠିତ ହେବ।
ପରୀକ୍ଷା କେନ୍ଦ୍ରରେ କେତେ ସଂଖ୍ୟକ ପ୍ରଶ୍ନପତ୍ର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଆସନ୍ତା ୫ ତାରିଖ ସୁଦ୍ଧା ବିଦ୍ୟାଳୟଗୁଡ଼ିକ ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କରେ ସବ୍ ସେଣ୍ଟର ଓ ଟ୍ୟାଗ୍ ହୋଇଥିବା ବିଦ୍ୟାଳୟକୁ ଜଣାଇବେ। ୬ ତାରିଖ ସୁଦ୍ଧା ସବ୍ସେଣ୍ଟରଗୁଡ଼ିକ ତାହାକୁ ମୁଖ୍ୟ କେନ୍ଦ୍ର ନିକଟ ପହଞ୍ଚାଇବେ। ମୁଖ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକ ୭ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)କୁ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କରେ ଅବଗତ କରାଇବେ। ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କିତ ତଥ୍ୟଗୁଡ଼ିକୁ ଏକାଠି କରିବା ଦିଗରେ ପରୀକ୍ଷା କେନ୍ଦ୍ର ଓ ଇଏମ୍ଏଚ୍ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଭୁଲ୍ ଓ ବିଳମ୍ବିତ ତଥ୍ୟ ପ୍ରଦାନ ପାଇଁ ଯଦି କୌଣସି ସମସ୍ୟା ଉପୁଜିବ ତାହା ହେଲେ ପରିଷଦ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ତଥ୍ୟ ଦେଇଥିବା ଅଧିକାରୀ ଏଥିପାଇଁ ଉତ୍ତରଦାୟୀ ହେବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏ କ୍ଷେତ୍ରରେ ହବ୍ ସୁପରଭାଇଜରଙ୍କର ପ୍ରମୁଖ ଦାୟିତ୍ବ ରହିଛି। ପ୍ରଶ୍ନପତ୍ରଗୁଡ଼ିକ ହବ୍ରେ ପହଞ୍ଚିବା ପରେ ସୁପରଭାଇଜରମାନେ ତାହାକୁ ପରିଷଦ ଅଧିକାରୀଙ୍କଠାରୁ ସଂଗ୍ରହ କରିବେ ଏବଂ ସେଗୁଡ଼ିକୁ ଭଲ ଭାବେ ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ଅଧିକ କିମ୍ବା କମ୍ ପ୍ରଶ୍ନପତ୍ର ହୋଇଥିବା ନଜରକୁ ଆସେ ତାହାହେଲେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଭାବେ ପରିଷଦକୁ ଏନେଇ କୌଣସି ପ୍ରକାର ଚିଠି କିମ୍ବା ଇ-ମେଲ୍ କରିପାରିବେ ନାହିଁ। ପ୍ରଶ୍ନପତ୍ର ନିଅଣ୍ଟ ହେଲେ ଇଏମ୍ଏଚ୍ ସୁପରଭାଇଜର ତତ୍କ୍ଷଣାତ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଇବେ। ଅନ୍ୟପକ୍ଷରେ ଇଣ୍ଟରନାଲ ଆସେସ୍ମେଣ୍ଟ(ଇଏ) ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଅବଧି ଜାନୁଆରି ୩୦ ଥିଲା। କେତେକ କଲେଜ ଏପର୍ଯ୍ୟନ୍ତ ମାର୍କ ଦାଖଲ କରି ନ ଥିବାରୁ ସେମାନଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଛି। ଫେବ୍ରୁଆରି ୪ ସୁଦ୍ଧା ସାମ୍ସ ପୋର୍ଟାଲ ମାଧ୍ୟମରେ ମାର୍କ ଦାଖଲ କରିବାକୁ ପରିଷଦ ଅଧୀନ ସମସ୍ତ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।