ବାରବାଟୀରେ ବଡ଼ ବିଭ୍ରାଟ: ଅଧାରେ ଅଟକିଲା ଭାରତ-ଦିନିକିଆ ମ୍ୟାଚ୍‌

କଟକ, ୯/୨: ଐତିହାସିକ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମ ରବିବାର ବଡ଼ ବିଭ୍ରାଟ ଦେଖାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ମ୍ୟାଚ୍‌ ବେଳେ କିଛି ଫ୍ଲଡ ଲାଇଟ୍‌ ବନ୍ଦ ହୋଇଯାଇଥିଲା। ଫଳରେ ଅଧାବାଟରେ ମ୍ୟାଚ୍‌ ଅଟକିଥିଲା। ମ୍ୟାଚ୍‌ ଅଟିକିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୫୦୦୦୦ ଦର୍ଶକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଯେଉଁ କ୍ରିକେଟ୍‌ପ୍ରେମୀମାନେ କ୍ରିକେଟ୍‌ ଦେଖିବାକୁ ବାରବାଟୀ ପହଞ୍ଚି ପାରି ନାହାନ୍ତି,‌ ସେମାନେ ଟିଭି ଓ ଅନ୍ୟ ଡିଜିଟାଲ ମିଡିଆ ମାଧ୍ୟମରେ ମ୍ୟାଚ୍‌ ଦେଖୁଛନ୍ତି। ତେଣୁ ବିରକ୍ତି ପ୍ରକାଶ କରିବା ସ୍ବାଭାବିକ। ମ୍ୟାଚ୍‌ ଅଟକିବା ‌ପରେ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ଚିନ୍ତା ବଢ଼ି ଯାଇଥିଲା। ତେବେ ପ୍ରାୟ ୨୦ ମିନିଟ୍‌ ଖେଳ ବନ୍ଦ ରହିବା ପରେ ପୁଣି ଥରେ ମ୍ୟାଚ୍‌ ଆରମ୍ଭ ହୋଇଛି।  ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍‌ ଲିଭିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହିଭଳି ପରିସ୍ଥିତି ଦେଖାଯାଇଛି। ବାରମ୍ବାର ଏହିଭଳି ଅପ୍ରୀତିକର ଘଟଣାକୁ ଦର୍ଶକ ଓ କ୍ରୀଡ଼ାପ୍ରେମୀମାନେ ତୀବ୍ର ନିନ୍ଦା କରୁଛନ୍ତି।

 

 

Comments are closed.