ଆସନ୍ତାକାଲି ରତ୍ନଭଣ୍ଡାର ସ୍ଥାନାନ୍ତର

ପୁରୀ, ୨୨/୯: ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର)  ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ ।

ଏଥିପାଇଁ  ସେପ୍ଟେମ୍ବର ୨୩ ତାରିଖରେ, ପୂର୍ବାହ୍ନ ୧୦  ଘଟିକା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ  ବାରଣ ରହିବ ।

ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ ।

ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି।

 

Comments are closed.