‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ ସାହୁଙ୍କର ପରଲୋକ

‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କର ପରଲୋକ ହୋଇଥିବା ନେଇ ରବିବାର ଅପରାହ୍ଣରେ ସୂଚନା ମିଳିଛି। କିଛି ମାସ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ। ସେଥି ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖୁବ୍‌ଶୀଘ୍ର ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ କଟକ ଆସିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ‘ଓମ୍‌ ଅଏଲ୍‌ ଆଣ୍ଡ ଫ୍ଲୋର ମିଲ୍ସ’ ନାମକ ଏକ ଛୋଟ ଉଦ୍ୟୋଗ କଟକ ଶିଳ୍ପାଞ୍ଚଳରେ ଆରମ୍ଭ ହୋଇଥିଲା। ଏହି ଛୋଟ ଉଦ୍ୟୋଗ ୧୯୭୬ ମସିହାରେ ଆରମ୍ଭ ହୋଇ ଆଗକୁ ବଢ଼ିଥିଲା। ଏହି କଂପାନିର ୪୯ ବର୍ଷର ଯାତ୍ରା ଆରମ୍ଭରୁ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ବ୍ୟବସାୟ ବଢ଼ିବାରୁ ବିଭିନ୍ନ ମସଲା ଉତ୍ପାଦନ କରିଥିଲା। ଆଜିର ଦିନରେ ‘ରୁଚି’ ଏକ ଜଣାଶୁଣା ନାମ। ପାସ୍ତା, ନୁଡୁଲ୍ସ, ରେଡ୍ଡୀ ଟୁ ଇଟ୍‌ ଖାଦ୍ୟ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ମଧ୍ୟରୁ ଅଗ୍ରଣୀ ନାମ।

ଓଡ଼ିଶାର ଘରେ ଘରେ ଚାରି ଦଶନ୍ଧି ଧରି ପରିଚିତ ‘ରୁଚି’ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସଫଳତା ପଛରେ କଂପାନିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କର ବଡ଼ ଭୂମିକା ରହିଛି। ତାଙ୍କର କଠୋର ପରିଶ୍ରମ ଏବଂ ପରିଚାଳନା ଯୋଗୁଁ ଏହା ଲୋକପ୍ରିୟ ହୋଇପାରିଛି। ବାପାଙ୍କ ସଫଳ ଉଦ୍ୟମକୁ ପୁଅ ତଥା ନିର୍ଦ୍ଦେଶକ ଅରବିନ୍ଦ ସାହୁ ଏବଂ ନିର୍ଦ୍ଦେଶିକା ରଶ୍ମୀ ସାହୁ ରୁଚିକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି। ରୁଚି ମସଲା ଭାରତର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିଛି। ବିଦେଶକୁ ମଧ୍ୟ ଏହି ମସଲା ରପ୍ତାନୀ ହେଉଛି।

ବିଶିଷ୍ଟ ଉଦ୍ୟୋଗପତି ତଥା Ruchi Foodline ର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ବିୟୋଗରେ ମୁଁ ଗଭୀର ଭାବରେ ଦୁଃଖିତ। ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ…

 

Comments are closed.