ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା, ଅର୍ପିତା ‌‌‌ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

0

କଟକ: ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାକୁ ନେଇ ମର୍କତନଗର ଥାନାରେ ରୁଜୁ ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସଙ୍ଗୀତକାର ‌ସୋମେଶ ଶତପଥୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇ‌କୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ହ୍ୟୁମାନଙ୍କ ମା’ ତଥା ଏତଲାକାରୀ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ ହାଇ‌କୋର୍ଟ ଅନୁମତି ଦେଇଛନ୍ତି। ଏଥି ସହିତ ମାମଲାର ପ୍ରତିପକ୍ଷ ନମ୍ବର-୨ ଶ୍ରୀମତୀ ସୁନାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।

ଫେବ୍ରୁଆରି ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି

ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମର୍କତନଗର ଥାନାର ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନ ନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ଏଜେନ୍ସିକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଫେବ୍ରୁଆରି ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହ୍ୟୁମାନଙ୍କ ମା ସେଫାଳି ସୁନାଙ୍କ ଅଭିଯୋଗକୁ ଆଧାର କରି ମର୍କତନଗର ଥାନାରେ ଡିସେମ୍ବର ୨୧‌ରେ ସୋମେଶ, ଅର୍ପିତାଙ୍କ ସମେତ ୯ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ସୋମେଶ ଓ ଅର୍ପିତାଙ୍କ ତରଫରୁ ଏକତ୍ର ଏକ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଦାୟର କରାଯାଇଥିଲା।

 

Leave A Reply

Your email address will not be published.