ନୂଆଦିଲ୍ଲୀ/ଭୁବନେଶ୍ବର: ଯୁଦ୍ଧ ପ୍ରଭାବରେ ଜାଳେଣି ଗ୍ୟାସ୍ ଅଭାବ ଗମ୍ଭୀର ରୂପ ନେଇଛି। ଦେଶବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଦିଲ୍ଲୀଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସରକାରୀ ସ୍ତରରେ ଘନଘନ ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତି ସମ୍ପର୍କରେ ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଦେଶରେ ଏଲ୍ପିଜି କଳାବଜାରୀ ରୋକିବାକୁ କେନ୍ଦ୍ର ସରକାର ଆଜି ଗ୍ୟାସ୍ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଘରୋଇ ଗ୍ୟାସ୍ ବ୍ୟବହାର ସହିତ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଯେଭଳି ଗ୍ୟାସ୍ ସିଲିଣ୍ଡର୍ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ସେ ଦିଗରେ ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବରରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ତୈଳ କମ୍ପାନିର ରାଜ୍ୟ ମୁଖ୍ୟମାନଙ୍କ ସହ ଏକ ବୈଠକ ହୋଇଛି। ବୈଠକରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ରାଜ୍ୟରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ ଅଭାବ ନଥିବା ଅବଗତ କରିଛନ୍ତି। ଖାଉଟିଙ୍କୁ ସୁବିଧାରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳ ଉପଲବ୍ଧ ଜାରି ରଖିବାକୁ କୁହାଯାଇଛି। ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ (ଏଲ୍ପିଜି) ଉପଲବ୍ଧ ଥିବାରୁ ଜନସାଧାରଣଙ୍କୁ ଏ ନେଇ ବିଶେଷ ଚିନ୍ତିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ତୈଳ ଓ ଗ୍ୟାସ୍ ସମ୍ପର୍କରେ ନିୟମିତ ସୂଚନା ଦେବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଉଭୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ତୈଳ କମ୍ପାନିମାନଙ୍କୁ କୁହାଯାଇଛି। ତୈଳ ଓ ଗ୍ୟାସ୍ ବିବରଣୀର ଏକ ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ପ୍ରତିଦିନ ଦେବାକୁ କମ୍ପାନିମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ କହିଛନ୍ତି, ପ୍ରତିଦିନ ରାଷ୍ଟ୍ରାୟତ୍ତ କମ୍ପାନିମାନେ ଏଲ୍ପିଜି ଷ୍ଟକ୍ ନେଇ ସରକାରଙ୍କୁ ରିପୋର୍ଟ କରିବେ। ଘରୋଇ ଏଲ୍ପିଜି ଅଭାବ ନାହିଁ। ବୁକିଂ ବି ଠିକ୍ ଭାବେ ହେଉଛି। ଯଦି ଅସୁବିଧା ହେବ, ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ ବୋଲି ସେ କହିଛନ୍ତି।
ସରକାର ଘରୋଇ ଏଲ୍ପିଜି ଯୋଗାଣକୁ ସ୍ବାଭାବିକ ରଖିବା ପାଇଁ ପ୍ରାଥମିକତା ଦେଇଛନ୍ତି। ବାଣିଜ୍ୟିକ, ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଏଲ୍ପିଜି ଯୋଗାଣ ଅନୁଧ୍ୟାନ ଓ ସମୀକ୍ଷା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। ତିନିଟି ସରକାରୀ ତେଲ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏହି କମିଟିରେ ରହିଛନ୍ତି। ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଏଲ୍ପିଜି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକ ସେମାନଙ୍କ ଅନୁରୋଧ ନିର୍ଦ୍ଧାରିତ ଇ-ମେଲ୍ ଜରିଆରେ କମିଟିକୁ ପ୍ରଦାନ କରିବେ। ଆବଶ୍ୟକତା ଓ ଉପଲବ୍ଧତାକୁ ଦେଖି କମିଟି ଯୋଗାଣ ଉପରେ ନିଷ୍ପତ୍ତି ନେବ। ସରକାରଙ୍କ ନିର୍ଦ୍ଦେଶ ପରେ ଦେଶରେ ତୈଳ ବିଶୋଧନ କମ୍ପାନିଗୁଡ଼ିକ ଏଲ୍ପିଜି ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ବଢ଼ାଇଛନ୍ତି। ଏହାଦ୍ବାରା ସମ୍ଭାବ୍ୟ ନିଅଣ୍ଟିଆ ପରିସ୍ଥିତିକୁ ଟାଳି ଦିଆଯାଇଛି। ଦେଶରେ ଏଲ୍ପିଜି ଅଭାବକୁ ସରକାର ଅସ୍ବୀକାର କରିଛନ୍ତି। ମହଜୁଦ ଓ କଳାବଜାରୀକୁ ରୋକିବା ପାଇଁ ଅତିରିକ୍ତ ପ୍ରଶାସନିକ ପଦକ୍ଷେପ ମଧ୍ୟ ନିଆଯାଇଛି। ସେହିଭଳି ବୁକିଂ ଅବଧିକୁ ୨୧ ଦିନରୁ ୨୫ ଦିନକୁ ବଢ଼ାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଗୁଜବକୁ ବିଶ୍ବାସ ନକରିବା ପାଇଁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି।
ବାଣିଜ୍ୟିକ ଏଲ୍ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣା ଦେଶବ୍ୟାପୀ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ମୁମ୍ବାଇ, ବେଙ୍ଗାଲୁରୁ, ମାଡ୍ରାସ, ଲକ୍ଷ୍ନୌ ଭଳି ଦେଶର ବିଭିନ୍ନ ସହର, ରାଜ୍ୟରେ ହୋଟେଲ୍, ରେସ୍ତୋରାଁଗୁଡ଼ିକୁ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ବନ୍ଦ ଫଳରେ ସ୍ଥିତି ଗମ୍ଭୀର ରୂପ ନେଇଛି। ମୁମ୍ବାଇରେ ୨୦ ପ୍ରତିଶତ ହୋଟେଲ ଓ ରେସ୍ତୋରାଁ ବନ୍ଦ ହୋଇଯାଇଛି। ସ୍ଥିତି ଜାରି ରହିଲେ ସେଠାରେ ଅଧା ହୋଟେଲ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ହୋଟେଲ୍ ଆଣ୍ଡ ରେସ୍ତୋରାଁ ସଂଘ (ହାରୋ) ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଯୋଗାଣ ତୁରନ୍ତ ସ୍ବାଭାବିକ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ‘ହାରୋ’ର ଅଧ୍ୟକ୍ଷ ଡ. ଜେକେ ମହାନ୍ତି କହିଛନ୍ତି ଯେ ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକ ଦୈନନ୍ଦିନ ରୋଷେଇ କାର୍ଯ୍ୟ ପାଇଁ ଅବିରତ ଏଲ୍ପିଜି ଯୋଗାଣ ଉପରେ ଅଧିକ ନିର୍ଭର କରନ୍ତି। ଯୋଗାଣ ହଠାତ୍ ବ୍ୟାଘାତ ହେବା ଯୋଗୁଁ ଅନେକ ପ୍ରତିଷ୍ଠାନରେ ଖାଦ୍ୟ ପ୍ରସ୍ତୁତି ଓ ସେବା ପ୍ରଭାବିତ ହୋଇଛି। ସ୍ମାରକପତ୍ରକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଅନ୍ୟମାନଙ୍କୁ ପଠାଯାଇଛି। ଅନ୍ୟପକ୍ଷରେ ଏଲ୍ପିଜି ଯୋଗାଣ ସ୍ବାଭାବିକ କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କେନ୍ଦ୍ରକୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି।
Comments are closed.