ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସ୍ଥଗିତ

0

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ରାଜିନାମା ନେଇ ଗତ ମାସରେ ସହମତି ହୋଇଥିଲା ମାତ୍ର ଭାରତ ବିରୋଧରେ ଆମେରିକା ଅନୁଚିତ କାରବାର ଅଭିଯୋଗରେ ତଦନ୍ତ ନିର୍ଦ୍ଦେଶ ଦେବା ଓ ଅଧିକ ଶୁଳ୍କ ଲଗାଇବା ଧମକ ଦେବା ପରେ ଉକ୍ତ ରାଜିନାମାକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ସମୟରେ ବାଣିଜ୍ୟ ଚୁକ୍ତିରେ ଭାରତ ସ୍ବାକ୍ଷର କରିବ ନାହିଁ। ଚଳିତ ବର୍ଷ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଭାରତ ରଣନୀତି ବଦଳାଇ କୋହଳ ମନୋଭାବ ପୋଷଣ କରିଥିଲେ।

ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ। ରୁଷ ତେଲ କିଣୁଥିବାରୁ ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଜରିମାନା ଶୁଳ୍କକୁ ମଧ୍ୟ ପ୍ରତ୍ୟାହାର କରିଥିଲେ। ତେଣୁ ଚଳିତ ମାସରେ ଆମେରିକା ସହ ଏକ ଅନ୍ତରୀଣ ଚୁକ୍ତି ଓ ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ରାଜିନାମା ସ୍ବାକ୍ଷର କରିବାକୁ ଭାରତ ଆଶା ରଖିଥିଲା। କିନ୍ତୁ ଭାରତ ବିରୋଧରେ ଆମେରିକା ତଦନ୍ତ ଆରମ୍ଭ କରିବା ପରେ ସରକାର ଚୁକ୍ତିକୁ ନେଇ ନିଜ ମନ ବଦଳାଇଛନ୍ତି। ରାଜିନାମା ସ୍ବାକ୍ଷରକୁ କିଛି ମାସ ଟାଳିଦେଇଛନ୍ତି।

ଗତ ମାସରେ ଆମେରିକାର ସୁପ୍ରିମକୋର୍ଟ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ଦିଗହରା ହୋଇଥିଲା। ସେହି ଘଟଣା ପରଠାରୁ ଦୁଇ ଦେଶ ମଧ୍ୟରେ କୌଣସି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇନାହିଁ। ଅବଶ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ଦୃଷ୍ଟିରୁ ରୁଷରୁ ତେଲ କିଣିବା ଲାଗି ଆମେରିକା ଭାରତକୁ ୩୦ ଦିନର ଆଶ୍ବସ୍ତି ପ୍ରଦାନ କରିଛି। ଭାରତର ଜଣେ ଅଧିକାରୀଙ୍କ କହିବାନୁସାରେ ଆମେରିକା ସୁପ୍ରିମକୋର୍ଟ ଶୁଳ୍କକୁ ଅସିଦ୍ଧ କରିବା ପରେ ଯେଉଁସବୁ ରାଜିନାମା ଅଟକି ରହିଛି ତାହାକୁ ପୂର୍ଣ୍ଣ କରିବାକୁ ଏକ ଚାପ କୌଶଳ ଭାବେ ଆମେରିକା ତଦନ୍ତ ଆରମ୍ଭ କରିଛି। ତେଣୁ ସ୍ଥିତି କେଉଁ ଆଡ଼କୁ ଗତି କରୁଛି ତାହା ଉପରେ ଭାରତ ଏବେ ନଜର ରଖିବ।

ଟ୍ରମ୍ପଙ୍କ ପାଖରେ ଶୁଳ୍କ ଲାଗୁ କରିବାର ଅନେକ ଉପକରଣ ରହିଛି

ଅନ୍ୟପକ୍ଷରେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି ଯେ ଟ୍ରମ୍ପଙ୍କ ପାଖରେ ଶୁଳ୍କ ଲାଗୁ କରିବାର ଅନେକ ଉପକରଣ ରହିଛି। ସେଥିରୁ ଗୋଟିଏ ହେଉଛି ଏକ ନିୟମର ଧାରା ୩୦୧। ଯେଉଁ ଦେଶମାନଙ୍କ ସହ ଆମେ ଚୁକ୍ତି କରିଛୁ ତାହାକୁ ସେମାନେ ସମ୍ମାନ ଦେବେ ବୋଲି ଆମେ ଆଶା କରୁଛୁ। ଭାରତ ଚୁକ୍ତିକୁ ସମ୍ମାନ ଦେବ। କାରଣ ତାହା ଉଭୟ ପକ୍ଷ ପାଇଁ ଏକ ବିଜୟ ଭଳି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.