ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ନିୟମାବଳୀ

ଭୁବନେଶ୍ୱର, ୨୩/୩: ଚଳିତ ବର୍ଷ ଏପ୍ରିଲ ମାସରୁ ହିଁ ରୌଦ୍ରତାପ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଅଂଶୁଘାତର ମୁକାବିଲା କରିବାକୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କାର‌୍ୟ୍ୟରତ ଶ୍ରମିକଙ୍କ ନିମନ୍ତେ ନୂଆ ଗାଇଡ୍‌ଲାଇନ୍ ଜାରି କରିଛି।
ଏପ୍ରିଲ ମାସ ୧ ତାରିଖରୁ ଜୁନ ମାସ ୧୫ ତାରିଖ ପର‌୍ୟ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ମଧ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବାକୁ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା ଭାରତ ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରମାନଙ୍କୁ କୁହାଯାଇଛି।

ଏନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ ଓ ଉପଯୋଗିତାକୁ ଦୃଷ୍ଟିରେ ରଖି କାର‌୍ୟ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ। ଯଦି କୌଣସି କାର‌୍ୟ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଯେଉଁଥିରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଏବଂ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓ.ଆର.ଏସ. ପ୍ୟାକେଟର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ।

ଉପରୋକ୍ତ ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ (ସିଡିଏମ୍‌ଓ.), ଉପମଣ୍ଡଳ ଚିକିତ୍ସାଧିକାରୀ (ଏସ୍‌ଡିଏମ୍‌ଓ.), ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି.), କମ୍ୟୁନିଟି ହେଲଥ ସେଣ୍ଟର (ସିଏଚ୍‌ସି.) ଚିକିତ୍ସାଳୟଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀମାନଙ୍କର ତତ୍ ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି।

 

Comments are closed.