ପୁରୀରେ ପ୍ରତିଷ୍ଠା ହେବ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର, କ୍ରୁଜ୍ ଟର୍ମିନାଲ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪/୧: ପୁରୀଠାରେ ଏକ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୁରୀରେ କୃଜ୍ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ। ଏହା ସହିତ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ପୁନରୁଦ୍ଧାର କରାଯାଇ ଏହାକୁ ମଧ୍ୟ ବିଶ୍ବସ୍ତରୀୟ ଇକୋଟୁରିଜିମ୍ ହବ୍ରେ ପରିଣତ କରାଯିବ। ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ବରରୁ ପୁରୀ ଏନଏଚ୍ର ପ୍ରଶସ୍ତିକରଣ କରାଯିବ। ସମଗ୍ର ପୁରୀ ଜିଲ୍ଲା ଏକ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ। ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ରମାନଙ୍କ ସ୍ମୃତି ସହିତ ଯୋଡ଼ି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ରମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହାପରେ ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ।
ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ସାଧାରଣ ଦିଶୁଥିବା ଏକ ସ୍ଥାନରେ ଜନ୍ମହୋଇ, ସବୁ ସାଧାରଣ ସାମଗ୍ରୀ ବ୍ୟବହାର କରି, ନିଜର କର୍ମବଳରେ ଜଣେ ବ୍ୟକ୍ତି କିପରି ଇଶ୍ବରତୁଲ୍ୟ ହୋଇପାରେ କହି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଣ୍ଡିତ ଗୋପବନ୍ଧୁଙ୍କୁ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ ବୋଲି କହିବା ସହିତ ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ।
ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୮୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ। ଐତିହାସିକ ବକୁଳବନର ପୁନରୁତ୍ଥାନ ଓ ବିକାଶ ପାଇଁ ପ୍ରାୟ ୯୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାକୁ ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଇ ଏହାର ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ। ଏହା ସହିତ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ। ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ କହିଥିଲେ ଯେ ଆମ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସମ୍ପୂର୍ଣ୍ଣଭାବେ ପ୍ରତିବଦ୍ଧ। ଗୋଟିଏ ଜାତିର ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା। ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି। ତେଣୁ, ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଆମର ପ୍ରାଥମିକତା। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରମ ଆରାଧ୍ୟ। ଜଗନ୍ନାଥଙ୍କ ଭକ୍ତିରେ ହିଁ ଓଡ଼ିଆ ଜାତିର ଶାନ୍ତି। ତାଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ୯୦ଟି ଗୌରବମୟ ବର୍ଷ ଅତିକ୍ରମ କରି ବର୍ତ୍ତମାନରେ ପହଞ୍ଚିଛି। ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ।
ମହାପ୍ରଭୁଙ୍କ ମହିମାର ପ୍ରସାର ପାଇଁ ପୁରୀଠାରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ଗୌରବର ପୁନଃଉଦ୍ଧାର କରାଯିବ। ପୁରୀକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଆମ ସରକାର ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପ ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ବୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
Comments are closed.