ଭୁବନେଶ୍ଵର, ୩/୪: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିଅନ ହୋଇଛି।
ଗୁରୁବାର ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଶୁକ୍ରବାର, ପ୍ରତିଯୋଗୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରତିଯୋଗିତାରେ ଓଡ଼ିଶାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ସ୍ୱର୍ଣ୍ଣ, ୧୨ ଜଣ ରୌପ୍ୟ ଏବଂ ୧୪ ଜଣ ପ୍ରତିଯୋଗୀ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ୧୬ ଜଣଙ୍କୁ ‘ମେଡାଲିୟନ୍ସ ଫର୍ ଏକ୍ସଲେନ୍ସ’ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସଫଳତା ନିମନ୍ତେ ଓଡ଼ିଶା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଭାଗୀୟ କମିସନର ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମି ରଞ୍ଜନ ମହାପାତ୍ର କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତବର୍ଷ ନାସନାଲ ସ୍କିଲ ଡେଭଲପମେଣ୍ଟ କାଉନ୍ସିଲ (ଏନଏସଡିସି) ପକ୍ଷରୁ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା ଦେଶର ୫ଟି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ସେଥିରୁ ଓଡ଼ିଶା, ଗୁଜରାଟ, ତାମିଲନାଡ଼ୁ ଓ କର୍ଣ୍ଣାଟକର ଅଫସାଇଟ୍ କେନ୍ଦ୍ର ଏବଂ ଗ୍ରେଟର ନୋଏଡାରେ ଗୋଟିଏ ଅନସାଇଟ୍ କେନ୍ଦ୍ରରେ ପ୍ରତିଯୋଗିତାଗୁଡ଼ିକ ଆୟୋଜିତ ହୋଇଥିଲା। ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ପ୍ରତିଯୋଗିତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା। ଏହି ୫ ଦିନିଆ ପ୍ରତିଯୋଗିତାରେ ସାରା ଭାରତର ବିଭିନ୍ନ ଦକ୍ଷତା ପ୍ରତିଷ୍ଠାନରୁ ୬୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
Comments are closed.