ନୂଆଦିଲ୍ଲୀ, ୨୬/୪: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମାମଲାରେ ଗୌହାଟୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିବା ପରେ କଂଗ୍ରେସ ନେତା ପବନ ଖେଡ଼ା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗିରଫଦାରୀରୁ ସୁରକ୍ଷା ଏବଂ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଖେଡ଼ା ରବିବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଟାର୍ଗେଟ୍ କରି ତାଙ୍କ ମନ୍ତବ୍ୟ ଉପରେ ପଞ୍ଜୀକୃତ ହୋଇଥିବା ଏକ ଏଫ୍ଆଇଆର୍ ସହିତ ଜଡିତ। ଖୁବ୍ ଶୀଘ୍ର ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଏପ୍ରିଲ ୫ ତାରିଖରେ ନୂଆଦିଲ୍ଲୀ ଓ ଗୌହାଟୀରେ ସାମ୍ବାଦିକ ସମ୍ମିଳନୀରେ ଖେଡ଼ା ଅଭିଯୋଗ କରିଥିଲେ ଯେ ହିମନ୍ତ ବିଶ୍ୱଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ୟୁଏଇ, ଇଜିପ୍ଟ, ଆଣ୍ଟିଗୁଆ ଓ ବାରବୁଡା ସମେତ ଏକାଧିକ ଦେଶର ପାସପୋର୍ଟ ଅଛି ଏବଂ ଦୁବାଇ ସମେତ ବିଦେଶରେ ଅଚଳାଚଳ ସମ୍ପତ୍ତି ରହିଛି। ଏହି ମନ୍ତବ୍ୟ ପରେ ଭାରତୀୟ ନ୍ୟାୟ ସଂହିତାର ଅନେକ ବ୍ୟବସ୍ଥା ଅନୁଯାୟୀ ଗୁଆହାଟୀ କ୍ରାଇମବ୍ରାଞ୍ଚ ଥାନାରେ ଖେଡ଼ା ଓ ଅନ୍ୟମାନଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା।
ଆସାମ ପୁଲିସ ଏପ୍ରିଲ ୭ରେ ଦିଲ୍ଲୀରେ ଖେଡ଼ାଙ୍କ ବାସଭବନରେ ଚଢ଼ଉ କରିଥିଲା, କିନ୍ତୁ ସେ ଉପସ୍ଥିତ ନ ଥିଲେ। ଏହା ପରେ ଖେଡ଼ା ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯିଏ ତାଙ୍କୁ ସାତ ଦିନ ପାଇଁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଆସାମ ପୁଲିସ ଏହାକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏପ୍ରିଲ ୧୫ରେ ସୁପ୍ରିମ୍କୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ।
ସୁପ୍ରିମ୍କୋର୍ଟ କହିଥିଲେ ଯେ ଖେଡ଼ା ଆସାମର ଏକ କୋର୍ଟରେ ଆଗୁଆ ଜାମିନ ମାଗିପାରିବେ। ପରେ ଖେଡ଼ା ତାଙ୍କ ଆଗୁଆ ଜାମିନ ଉପରେ ରହିତାଦେଶ ପ୍ରତ୍ୟାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କୁ ଗୌହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଖେଡ଼ା ଆଗୁଆ ଜାମିନ ପାଇଁ ଗୌହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଅନ୍ୟପକ୍ଷରେ ଗୁଆହାଟୀର ଏକ ସ୍ଥାନୀୟ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ପାଇଁ ଆସାମ ପୁଲିସର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ଲିଭ୍ ପିଟିସନ ଉପରେ ଶୁଣାଣିକୁ ଅପେକ୍ଷା କରାଯାଇଛି, ଯାହାର ଫଳାଫଳ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ।
Comments are closed.