ଭୁବନେଶ୍ୱର, ୨୬/୫: ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ବିଭିନ୍ନ କ୍ୟାଡରର ୩୬୦ ଜଣ ଅଧିକାରୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ସହରାଞ୍ଚଳ ଶାସନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ଵ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଏହି ପ୍ରସଙ୍ଗରେ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, ଉତ୍ତମ ପ୍ରଶାସନିକ ସମନ୍ୱୟ, ଦ୍ରୁତ ସେବା ପ୍ରଦାନ ଏବଂ ସହରୀ ପରିଚାଳନାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି କର୍ପୋରେସନ୍ (ମହାନଗର ନିଗମ), ମ୍ୟୁନିସିପାଲିଟି (ପୌରପାଳିକା) ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ନିୟୋଜିତ ଅଧିକାରୀମାନଙ୍କୁ ବଦଳି କରାଯାଇଛି।
ଏହି ଅଦଳବଦଳ ପ୍ରକ୍ରିୟାରେ କାର୍ଯ୍ୟନିର୍ବାହୀ ଅଧିକାରୀ , ଡେପୁଟି କମିଶନର ଓ ସହକାରୀ ଆୟୁକ୍ତଙ୍କ ସମେତ ୨୦ ଜଣ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ବଦଳି କରାଯାଇ ନୂତନ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟାଳୟର କାର୍ଯ୍ୟଦକ୍ଷତା ଏବଂ ପରିଚାଳନାଗତ ଦକ୍ଷତାରେ ସୁଧାର ଆଣିବା ପାଇଁ ମନ୍ତ୍ରାଳୟ ଏବଂ ପ୍ରତିଷ୍ଠାନ ଶାଖାର ୨୬ ଜଣ ମୁଖ୍ୟସହକାରୀ, ୧୦୧ ଜଣ ବରିଷ୍ଠ ସହକାରୀ ଏବଂ ୧୧୯ ଜଣ କନିଷ୍ଠସହକାରୀଙ୍କୁ ମଧ୍ୟ ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ନିକାୟକୁ ବଦଳି କରାଯାଇଛି। ଏହା ବ୍ୟତୀତ ବିଭାଗ ପକ୍ଷରୁ ରାଜସ୍ୱ ପ୍ରଶାସନ ଶାଖାରେ ମଧ୍ୟ ଏକ ବଡ଼ ଧରଣର ପୁନର୍ଗଠନ କରାଯାଇ ବିଭିନ୍ନ ୟୁଏଲବିର ୯୪ ଜଣ ଟ୍ୟାକ୍ସ କଲେକ୍ଟର (କର ଆଦାୟକାରୀ)ଙ୍କୁ ବଦଳି କରାଯାଇଛି।
ଏକ ସମାନ୍ତରାଳ ବିକାଶକ୍ରମେ, ବିଭାଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ୬ ଜଣ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସେବାର ୨ ଜଣ ଏବଂ ଓଡ଼ିଶା ରାଜସ୍ୱ ସେବାର ୪ ଜଣ ଅଧିକାରୀ ସାମିଲ ଅଛନ୍ତି।