ଦେଶରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍: ଟ୍ରେନ୍‌ରେ ୧୦ଟି କୋଚ୍‌ ଓ ୧୨୦୦ କିଲୋୱାଟ୍‌ ବିଶିଷ୍ଟ ଇଞ୍ଜିନ୍‌ ରହିବ

ଭୁବନେଶ୍ବର, ୨୮/୫: ଦେଶରେ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍‌ ଚଳାଚଳ କରିବ। ଭାରତୀୟ ରେଳପଥ ଦ୍ବାରା ଅନୁମୋଦିତ ଏହି ଟ୍ରେନ୍‌ରେ ୧୦ଟି କୋଚ୍‌ ଓ ୧୨୦୦ କିଲୋୱାଟ୍‌ ବିଶିଷ୍ଟ ଇଞ୍ଜିନ୍‌ ରହିଛି, ଯାହାକି ଜିନ୍ଦ୍‌-ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ। ସ୍ବଚ୍ଛ ଓ ସ୍ଥାୟୀ ପରିବହନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ଭାରତୀୟ ରେଳ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍‌ ଚାଳିତ ରେଳଗାଡ଼ି ଚଳାଇବାକୁ ଅନୁମୋଦନ କରିଛି। ହାଇଡ୍ରୋଜେନ୍‌ ଫୁଏଲ୍‌ ସେଲ୍‌ ପ୍ରଯୁକ୍ତିବିଦ୍ୟା ଉଦ୍‌ଯାନ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରେ। ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ। ତେଣୁ ଏହା ପାରମ୍ପରିକ ଜୀବାଶ୍ମ ଇନ୍ଧନ-ଆଧାରିତ ରେଳ ବ୍ୟବସ୍ଥାର ଏକ ସ୍ୱଚ୍ଛ ବିକଳ୍ପ ଭାବରେ କାର୍ଯ୍ୟ କରେ।

ଟ୍ରେନ୍‌ରେ ୧୦ଟି କୋଚ୍‌ ୧୨୦୦ କିଲୋୱାଟ୍‌ ବିଶିଷ୍ଟ ଇଞ୍ଜିନ୍‌ ରହିବ
ଜିନ୍ଦ-ସୋନିପତ ସେକ୍ସନ ମଧ୍ୟରେ ଘଣ୍ଟାପ୍ରତି ୭୫ କିମି ବେଗରେ ଚାଲିବ

ଜର୍ମାନୀ, ଜାପାନ, ଚୀନ୍, ଆମେରିକା ପରି ଦେଶରେ ଏବେ ହାଇଡ୍ରୋଜେନ୍‌ ଟ୍ରେନ୍ ଚଳାଚଳ କରୁଛି। ହରିୟାଣାର ଜିନ୍ଦ-ସୋନିପତ ସେକ୍ସନକୁ ଏହି ରେଳ ଚାଳନା ପାଇଁ ପାଇଲଟ୍‌ ରୁଟ୍‌ ଭାବରେ ଚୟନ କରାଯାଇଛି। ଏହାକୁ ସହଜ କରିବାକୁ ଜିନ୍ଦରେ ଏକ ସ୍ୱଦେଶୀ ଭାବେ ବିକଶିତ ହାଇଡ୍ରୋଜେନ୍ ଭଣ୍ଡାର ଓ ଇନ୍ଧନ ପୁନଃଭରଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ପେଟ୍ରୋଲିୟମ୍‌ ଓ ବିସ୍ଫୋରକ ସୁରକ୍ଷା ସଂଗଠନ(ପିଇଏସ୍ଓ) ଏହି ସ୍ଥାନରେ କମ୍ପ୍ରେସ୍‌ଡ ହାଇଡ୍ରୋଜେନ୍ ଗ୍ୟାସ୍‌ର ସଂରକ୍ଷଣ ଓ ବଣ୍ଟନ ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କରିଛି। ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଚାଳନା ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ ବୈଷୟିକ ସହାୟତା ଓ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସହିତ ଇନ୍ଧନ ପାଇଁ ଏକ ହାଇଡ୍ରୋଜେନ୍‌ କମ୍ପ୍ରେସର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏଥିସହ ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ଏକ ପୃଥକ କମ୍ପ୍ରେସର ୟୁନିଟ୍‌ ପ୍ରସ୍ତୁତ ରଖାଯାଇଛି। ଉଦ୍‌ଯାନ ଲିକ୍ ଓ ଅଗ୍ନିକାଣ୍ଡ ଚିହ୍ନଟ କରିବାକୁ ଉଦ୍‌ଯାନ ଉତ୍ପାଦନ, ସଂରକ୍ଷଣ ଓ ବଣ୍ଟନ କେନ୍ଦ୍ରରେ ସ୍ଥାପିତ ବିଭିନ୍ନ ସୁରକ୍ଷା ସେନ୍ସରଗୁଡ଼ିକର ନିୟମିତ ପରିଦର୍ଶନ କରାଯିବ। ହାଇଡ୍ରୋଜେନ୍‌ ରିଫ୍ୟୁଏଲିଂ ପ୍ରଣାଳୀର ୨୪ ଘଣ୍ଟିଆ ତଦାରଖ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଓ ପ୍ରମାଣିତ କର୍ମଚାରୀଙ୍କ ନିୟୋଜନ, ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ସମୟସୂଚୀ କାର୍ଯ୍ୟକାରୀ କରିବା ସହ ବ୍ୟାପକ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ପ୍ରୋଟୋକଲ୍‌ର କଠୋର ପାଳନକୁ ବାଧ୍ୟତାମୂଳକ କରାଯାଇଥିବା ରେଳପଥ ପକ୍ଷରୁ କୁହାଯାଇଛି।

Comments are closed.