ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି: ୪୨ ଏମ୍ଏଲ୍ଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ପୁରୀ, ୬/୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଯେପରି ପାନୀୟ ଜଳର ସମସ୍ୟା ସୃଷ୍ଟି ହେବନାହିଁ ସେଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୪୨ଏମ୍ଏଲ୍ଡିର ଜଳ ବିଶୋଧନ କାରଖାନା ନିର୍ମାଣ କରାଯାଉଛି। ଆଜି (ସୋମବାର) ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରିବା ସହ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଆଜିର ଅନୁଷ୍ଠିତ ବୈଠକରେ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ବିଭାଗୀୟ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ରଥଯାତ୍ରା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
କ୍ଷେତ୍ର ପରିଦର୍ଶନ ସମୟରେ ଡଃ ମହାପାତ୍ର ୪୨ ଏମ୍ଏଲ୍ଡି ଜଳ ବିଶୋଧନ କାରଖାନାର ପ୍ରମୁଖ ଅଂଶ ଯେପରିକି କ୍ଲାରିଫାୟର୍, ଫିଲ୍ଟ୍ରେସନ୍ ୟୁନିଟ୍, ଯନ୍ତ୍ରପାତି ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ଅଗ୍ରଗତି ପରିଦର୍ଶନ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ, ସେବାୟତ ଓ ତୀର୍ଥଯାତ୍ରୀଙ୍କ ରହଣି ସ୍ଥଳ, ଅସ୍ଥାୟୀ ଶିବିର ଏବଂ ସହରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଜଳ ଯୋଗାଣ ନେଟୱାର୍କର କ୍ରମାଗତ ନିରୀକ୍ଷଣ କରିବା ସହ ପାୱାର ବ୍ୟାକଅପ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପଦକ୍ଷେପ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜଳ ଯୋଗାଣରେ କୌଣସି ଅପ୍ରତ୍ୟାଶିତ ବାଧା ଦୂର କରିବା ପାଇଁ ୱାଟକୋ ପକ୍ଷରୁ ଭ୍ରାମ୍ୟମାଣ ପାଣି ଟାଙ୍କି, ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି । ତୁରନ୍ତ ସେବା ଏବଂ ନିରବଚ୍ଛିନ୍ନ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ରଥଯାତ୍ରା ସମୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ।
Comments are closed.