ରାଉରକେଲା, ୯/୫: ଆସନ୍ତା ଗଣେଶ ପୂଜା ଓ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼କୁ ବ୍ୟାପକ କରାଯାଇଛି। ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଦେଶୀ ମଦ ତିଆରି, ଚୋରାଚାଲାଣ ଚାଲିଥିବାବେଳେ ଅତର୍କିତ ଚଢଉ କରାଯାଇଥିଲା। ଗତ ଦୁଇ ଦିନ ଧରି ଲାଠିକଟା, ବିଶ୍ରା, ବୀରମିତ୍ରପୁର, କାରିଛାପଲ, ଅଙ୍କୁରପାଲି, ଟଙ୍କାଟୋଲି, କଦଳିବାହାଲ ଆଦି ସ୍ଥାନରେ ଚଢଉକରି ୧୬ଟି ମାମଲା ରୁଜୁ କରିଛି। ଏହାସହ ତିନି ଜଣ ଅଭିଯୁକ୍ତ ଅଜିନାଦ କୁମ୍ଭାର, ସୁଖଲାଲ କେର୍କେଟା ଓ ସହଦାରି କଂସାରୀଙ୍କୁ ଗିରଫ କରିଛି।
ଏହି ଚଢଉବେଳେ ଅବକାରୀ ପୁଲିସ ବିପୁଳ ପରିମାଣର ମହୁଲି ମଦ ଓ ମଦ ତିଆରିରେ ବ୍ୟବହୃତ ହେଉଥିବା ମହୁଲ ପୋଚ ଜବତ କରିଛି। ମୋଟ୍ ୨୨୭୦ ଲିଟର ବେଆଇନ ମହୁଲି ମଦ ଓ ୪୩, ୬୫୦ ଲିଟର ମହୁଲ ପୋଚ ଏବଂ ମଦ ଚୋରାଚାଲାଣରେ ବ୍ୟବହୃତ ୫ଟି ମୋଟରସାଇକଲ, ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ଚଢଉରେ ଡିଏସ୍ଇ ଅର୍ଚ୍ଚନା ବାରିକ, ଅବକାରୀ ଇନ୍ସପେକ୍ଟର ଦ୍ରୁବଦଳ ବିଶ୍ୱାଳ, ହେମନ୍ତ ମହାନନ୍ଦିଆ, ଏସ୍ଆଇ ଜ୍ଞାନେଶ୍ବରୀ ବିଶ୍ୱାଳ, ଦେବେନ୍ଦ୍ର ବରିହା, ମୁକେଶ ପଟେଲ, ସ୍ବର୍ଣ୍ଣ ଜୟନ୍ତୀ ନାୟକ, ରୋହିତ ଦନସେନା ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।
୬୮ ଲିଟର ଦେଶୀ ମଦ ଜବତ
ଜୟପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଦୁଇଟି ପୃଥକ ସ୍ଥାନରେ ମୋଟ ୬୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ମଦ ପରିବହନରେ ବ୍ୟବହୃତ ୨ଟି ବାଇକ ମଧ୍ୟ ଜବତ କରାଯାଇଛି। ପ୍ରଥମ ଘଟଣାରେ କୋଲାଗୁଡ଼ାର ଆକାଶ କନ୍ଦପାନଙ୍କଠାରୁ ତେଲିଗୁଡ଼ା ଅଞ୍ଚଳରେ ୫୦ ଲିଟର ଦେଶୀ ମଦ ସହ ବାଇକ ଜବତ କରାଯାଇଥିଲା। ସେହିପରି ଦ୍ୱିତୀୟ ଘଟଣାରେ ନୀଳଗୁଡ଼ାର ସଦାଶିବ ଦୁରୁଆଙ୍କଠାରୁ ପାଞ୍ଜିଆଗୁଡ଼ା ଅଞ୍ଚଳରେ ୧୮ ଲିଟର ଦେଶୀ ମଦ ସହ ବାଇକ ଜବତ କରାଯାଇଛି। ଉଭୟ ଘଟଣାରେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।