ଅଣସେବାୟତ ରଥ ଉପରକୁ ଗଲେ କାର୍ଯ୍ୟାନୁଷ୍ଠାନ: ଆଇନ୍ ମନ୍ତ୍ରୀ
ଭୁବନେଶ୍ବର, ୧୦/୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାର ଅୟୋଜନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଜୁନ ୨୭ ତାରିଖ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀରେ ରୀତିନୀତି ଦୃଷ୍ଟିରୁ ସବୁ ଠିକଠାକ୍ ଚାଲିଛି। ମହାପ୍ରଭୁଙ୍କର ପହଣ୍ଡିବିଜେ ଠିକ ସମୟରେ ସରିବ। ସମୟ ନିର୍ଘଣ୍ଟ ଅନୁଯାୟୀ ଏହା ଶେଷ ହେବ। ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ। ଅଣସେବାୟତ ରଥ ଉପରକୁ ଗଲେ ପୁଲିସକୁ ଦିଆଯିବ।
ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଗତବର୍ଷ ଜୁଲାଇ ମାସରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା ପରେ ରଥଯାତ୍ରା-୨୦୨୪ରେ ହୋଇଥିବା ବିଶୃଙ୍ଖଳା ଓ ବାହୁଡ଼ାଯାତ୍ରା-୨୦୨୫କୁ ନେଇ ଆକ୍ସନମୋଡକୁ ଆସିଥିଲେ। ଦାୟିତ୍ୱ ନେବା ପରେ ସେ କହିଥିଲେ, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।