ଟିଆଇ ପରେଡରେ ବିବନ ବିଶ୍ୱାଳକୁ ଚିହ୍ନିବେ ଅଞ୍ଜନା ମିଶ୍ର

ଭୁବନେଶ୍ବର, ୦୩।୩: ବୁଧବାର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ୍‌। ଏନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍‌। ବୁଧବାର ଦିନ ଝାରପଡ଼ା ଜେଲ୍‌ ପରିସରରେ ଜେଏମ୍‌ଏଫ୍‌ସି ଶୃଜାଲିନି ମହାନ୍ତିଙ୍କ ତଦାରଖରେ ହେବ ଟିଆଇ ପରେଡ୍‌। ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଦିଆଯାଇଛି। ଏଥିପାଇଁ ଝାରପଡ଼ା ଜେଲରେ ଯାଇ ପହଁଞ୍ଚିଛନ୍ତି ଅଞ୍ଜନା ମିଶ୍ର।

ବୁଧବାର ଦିନ ଅଞ୍ଜନା ମିଶ୍ର ଜେଲ୍‌କୁ ଯାଇ ଅଭିଯୁକ୍ତ ବିବନକୁ ଚିହ୍ନଟ କରିଛନ୍ତି। ସେପଟେ ବିବନକୁ ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ସିବିଆଇ। କୋର୍ଟ ୨ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଆସନ୍ତା ୪ ଓ ୫ ତାରିଖ ୨ ଦିନ ସିବିଆଇ ରିମାଣ୍ଡରେ ରହିବ ବିବନ। ଏହି ସମୟରେ ସିବିଆଇର ମୂଳ ଲକ୍ଷ୍ୟ ରହିବ ବିବନକୁ ଯେଉଁମାନେ ସୁରକ୍ଷା ଦେଉଥିଲେ ତାହାର ତଥ୍ୟ ହାସଲ କରିବା। ତା’ପରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହି ସମ୍ପର୍କରେ ଅଞ୍ଜନା ଗଣମାଧ୍ୟମକୁ କହିଛନ୍ତି, ୨୨ ବର୍ଷ ପରେ ଟିଆଇ ପରେଡ୍‌ରେ ବିବନକୁ ଚିହ୍ନିବି । ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସିବା ଦରକାର । କାହା ପ୍ରରୋଚନାରେ ଏହି କାଣ୍ଡ ଘଟିଥିଲା ସେ କଥା ପଦାକୁ ଆସୁ । ୨୨ ବର୍ଷ ସେ ହେଲା କାହା ଛତ୍ରଛାୟାରେ ଥିଲା? ତାହାର ତଦନ୍ତ କରାଯାଉ । ଘଟଣା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା କହିଥିଲେ । ପୂର୍ବ କଥା ଉପରକୁ ଗଲେ ଘଟଣା ଦିନ ଅଞ୍ଜନା ସହ ଥିଲେ ତାଙ୍କ ସାମ୍ବାଦିକ ବନ୍ଧୁ ଓ ଗାଡ଼ି ଚାଳକ । ଜେଲ୍‌ରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କର ଟିଆଇ ପରେଡ୍‌ ହେଲା ବେଳେ ୩ ଜଣ ମିଶି ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ । ହେଲେ କାଠଗଡ଼ାରେ ୨ ଅଭିଯୁକ୍ତଙ୍କୁ ଚିହ୍ନିପାରି ନଥିଲେ ସାମ୍ବାଦିକ ବନ୍ଧୁ ଓ ଗାଡି ଚାଳକ । କିନ୍ତୁ ଅଞ୍ଜନା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ।

୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଏହି ଜଘନ୍ୟକାଣ୍ଡ । ଘଟଣାର କିଛି ଦିନ ପରେ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ହେଲେ ବିବନ ଫେରାର ହୋଇ ଯାଇଥିଲା । ୨୦୦୨ ମସିହା ଏପ୍ରିଲ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ ରାୟ ଶୁଣାଇ ୨ ଦୋଷୀସାବ୍ୟସ୍ତ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ । ୨୨ ବର୍ଷ ପରେ କମିଶରେଟ୍‌ ପୁଲିସ୍‌ ବିବନ୍‌ଙ୍କୁ ଗିରଫ କରିଛି ।

Comments are closed.