ଆରପାରିରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

0

ଭୁବନେଶ୍ବର, ୨୪।୯: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ନେଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି। ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତଥାପି ଏକ ଡାକ୍ତରୀ ଟିମ୍ ଠିକ୍ ଭାବେ ତାଙ୍କ ଯାଞ୍ଚ କରିଥିଲା। ତାଙ୍କର ଆଉ ଜଣେ ସହଯୋଗୀ ପ୍ରଭାତ ସିହ୍ନା (କ୍ୟାମେରା ପର୍ସନ)ଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ଓଡ୍ରାଫ୍‌ର ତିନି ଜଣ କର୍ମଚାରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମହାନଦୀରେ କଟକ ମୁଣ୍ଡଳି ବ୍ରିଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟିଂ କରିବାକୁ ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସେଠାକୁ ଯାଇଥିଲେ। ପ୍ରଶାସନ ପକ୍ଷରୁ ଦୀର୍ଘ ସମୟ ଧରି ଅପରେସନ୍ ପରେ ହାତୀଟି ନଦୀ କୂଳ ପାଖାପାଖି ପଳାଇ ଆସିଥିଲା। କିନ୍ତୁ ବୋଧହୁଏ ଅତ୍ୟଧିକ ସଂଖ୍ୟକ ଲୋକଙ୍କୁ ବ୍ୟାରେଜ୍ ପାଖାପାଖି ଦେଖି ହାତୀଟି ପୁଣି ନଦୀ ଭିତରକୁ ଚାଲି ଯାଇଥିଲା ଓ ମୁଣ୍ଡଳି ବ୍ୟାରେଜ ପାଖାପାଖି ଛିଡ଼ା ହୋଇଥିଲା। ହାତୀଟି ସ୍ଥିର ରହୁ ନଥିବାରୁ ତାକୁ କ୍ରେନ୍ ସାହାଯ୍ୟରେ ବି ଟଣା ଯିବା ସମ୍ଭବ ହୋଇପାରି ନଥିଲା।

ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ଓଡ୍ରାଫ୍ ଟିମ୍‌କୁ ରୋବର ବୋଟ୍‌ରେ ସେଠାକୁ ଯାଇଥିଲା ହାତୀଟିକୁ ଘଉଡ଼ାଇବାକୁ। ଆଉ ଅରିନ୍ଦମ ତାଙ୍କ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ଓଡ୍ରାଫ୍ ଟିମ୍‌ ସହିତ ବୋଟ୍‌ରେ ସେଠାକୁ ଯାଇଥିଲେ। ଆଉ ହାତୀ ପାଖାପାଖି ବୋଟ୍‌ଟି ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା।

ବୋଟ୍‌ଟି ଓଲଟି ପଡ଼ିବା ପରେ ଦୀର୍ଘ ସମୟ ଧରି ଅରିନ୍ଦମ ପାଣି ଭିତରେ ସଂଘର୍ଷ କରିଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଯିବା ପରେ ତାଙ୍କର ସମସ୍ତ ସହଯୋଗୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଦଇବ କିଛି ଅଲଗା ଲେଖି ରଖିଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।  ସେହିପରି ଓଟିଭିର ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.