ଭୁବନେଶ୍ବର, ୨/୭: ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି। ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି ରାତିରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି।
ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନାହାନ୍ତି। ଶ୍ରୀ ସାମଲ କହିଛନ୍ତି, ବିଏମ୍ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆଗରେ କହିବା ଠିକ୍ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।
ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।
ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି।
ଶ୍ରୀ ପ୍ରଧାନ କହିଛନ୍ତି, ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି।