ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗାମୀ ଟ୍ରଲର ଓ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୁଲିସ ବୋଲେରୋର ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏପରି ଥିଲା ଯେ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ମୃତକମାନଙ୍କ ତାଲିକା (୫)
- କାଶୀରାମ ଭୋଇ (APR)
- ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର)
- ଦେବଦତ୍ତ ସା (APR)
- ଲିଙ୍ଗରାଜ ଧୂରୁଆ (APR ହାବିଲଦାର)
- ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)
ଆହତ (୩)
- ଦୁବରାଜ ମିରିଗ (APR)
- ଆକାଶ ନାଏକ (APR)
- ରାଜୀବ ଭରସାଗର (ସର୍ଜେଣ୍ଟ)
ଖବର ପ୍ରସାରିତ ହେବା ପରେ ପୁଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଉଚ୍ଚପଦସ୍ଥ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡ଼ିଟିକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କର ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି। ଓମ୍ ଶାନ୍ତି।
Comments are closed.