ଗିରଫ ହେଲେ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ବର, ୨୮।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଆଜି ଗିରଫ ହୋଇଛନ୍ତି। ଆସନ୍ତାକାଲିଠାରୁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହିତ ଆଉ ତିନି ଅଭିଯୁକ୍ତ- ଝୁନା ଭୋଇ, ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।

ପ୍ରାୟ ଦେଢ଼ ମାସ ଧରି ପୁଲିସ୍ ସହିତ ଲୁଚକାଳି ଖେଳୁଥିବା ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ୱେବ୍ ଚ୍ୟାନେଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତ ଆଜି ଧରାପଡ଼ିଥିଲେ। ବସ୍‌ରେ କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକର ନଳଙ୍ଗାଠାରେ ତାଙ୍କୁ ଧରିଥିଲେ ଚାନ୍ଦବାଲି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍। ଶର୍ମିଷ୍ଠାଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇ ବି ଥିଲେ। ସେମାନଙ୍କୁ ଗିରଫ କରାଯାଇ ପ୍ରଥମେ ତିହିଡ଼ି ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ସେଠାରୁ ଉଭୟଙ୍କୁ ନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା। ଶର୍ମିଷ୍ଠାଙ୍କ ସମେତ ୭ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା।

ଶର୍ମିଷ୍ଠା ଓ ଝୁନାଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିବା ସହିତ ସେମାନଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ। ଶର୍ମିଷ୍ଠା ଓ ଝୁନାଙ୍କ ବ୍ୟତୀତ ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

ଭଦ୍ରକ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୯ରେ ଭୁବନେଶ୍ୱର ଛାଡ଼ିଥିଲେ ଶର୍ମିଷ୍ଠା ଓ ଝୁନା। ତା’ପରଠୁ ସେମାନଙ୍କ ସଂପର୍କରେ ଆଉ କୌଣସି ସୁରାଗ୍ ପାଇନଥିଲା ଚାନ୍ଦବାଲି ପୁଲିସ। ଏମାନେ ଭୁବନେଶ୍ୱରରୁ ପ୍ରଥମେ କୋଲକାତା ପଳାଇଥିଲେ। ସେଠାରୁ ଯାଇଥିଲେ ଗୌହାଟୀ। କିଛିଦିନ ପରେ ପୁଣି ଫେରିଥିଲେ କୋଲକାତା। ଗିରଫଦାରୀ ଭୟରେ ଉଭୟେ ପ୍ରାୟତଃ କୋଲକାତା ଓ ଗୌହାଟୀର ରେଳଷ୍ଟେସନ୍ଗୁଡ଼ିକରେ ଆଶ୍ରୟ ନେଉଥିଲେ। ଟଙ୍କା ସରି ଆସୁଥିବା ବେଳେ ବସ୍‌ରେ ଭୁବନେଶ୍ୱର ଫେରୁଥିବା ବେଳେ ସେମାନେ ଧରାପଡ଼ିଥିଲେ।

ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୨୧ ତାରିଖରେ ସୂଚନା ଓ ଲୋକ ସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ, ରାଜ୍ କମ୍ୟୁନିକେସନର ମାଲିକ ରଂଜନ ନାୟକ ଓରଫ୍ ରାଜ୍ ଓ ୨୩ ତାରିଖରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଗିରଫ କରାଯାଇଥିଲା। ତା’ପୂର୍ବରୁ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା।

 

Leave A Reply

Your email address will not be published.