ସିଗ୍‌ନାଲ ଜେଇଙ୍କୁ ସିବିଆଇର ୬ ଘଣ୍ଟା ଜେରା

0

ଭୁବନେଶ୍ୱର/ସୋର, ୨୧/୬: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଟ୍ରାଜେଡିର ଖୋଳତାଡ଼ ଜାରି ରଖିଛି ସିବିଆଇ। ଏହାରି ଭିତରେ ସିବିଆଇକୁ କିଛି ସୁରାକ ମିଳିଥିବା ଜଣାପଡ଼ିଛି । ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନର୍‌ରେ ଥିଲେ ସୋର ସେକ୍ସନ ସିଗ୍‌ନାଲ୍‌ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍‌। ମଙ୍ଗଳବାର ସକାଳେ ସିବିଆଇ ଟିମ୍‌ ସୋର ପୌରପାଳିକା ଅନ୍ତର୍ଗତ କମରପୁର ଅନ୍ନପୂର୍ଣ୍ଣା ରାଇସ୍‌ ମିଲସ୍ଥିତ ଅମୀର ଖାନଙ୍କ ଭଡ଼ା ଘର ତାଙ୍କ ଉପସ୍ଥିତିରେ ସିଲ୍‌ ଖୋଲିଥିଲା। ତାପରେ ଦୀର୍ଘ ୬ ଘଣ୍ଟା ଜେରା କରିଥିଲା । ପରେ ତାଙ୍କୁ ସିବିଆଇ ଟିମ୍‌ ନିଜ ହେପାଜତକୁ ନେଇଛି। ଏଥିସହ କିଛି କାଗଜପତ୍ର ମଧ୍ୟ ଜବତ କରିଛି। ମଙ୍ଗଳବାର ସକାଳ ୧୦ଟାରେ ସିବିଆଇର ୭ଜଣିଆ ଟିମ୍‌ ଅମୀରଙ୍କୁ ସାଙ୍ଗରେ ଧରି ତାଙ୍କ ଭଡ଼ାଘରେ ପହଞ୍ଚିଥିବା ବେଳେ କିଛି କାଗଜପତ୍ର ଜବତ କରିଛି। ସୋମବାର ୩ଜଣିଆ ସିବିଆଇ ଟିମ୍‌ ସୋର କମରପୁର ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ଉ କରିଥିଲେ। ତାଙ୍କ ଘରେ କେହି ନଥିବାରୁ ସିବିଆଇ ଟିମ୍‌ ସନ୍ଧ୍ୟାରେ ଘର ସିଲ୍‌ କରିବା ସହ ସୋର ଥାନାର ୨ଜଣ ପୁଲିସ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରି ଫେରିଥିଲେ। ମଙ୍ଗଳବାର ସକାଳେ ସିବିଆଇ ଟିମ୍‌ ଅମୀରଙ୍କୁ ଧରି ପୁଣି ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ସିଲ୍‌ ଖୋଲି ଘର ଭିତରକୁ ପଶିଥିଲେ ଏବଂ ତାଙ୍କୁ ୬ ଘଣ୍ଟା ଜେରା କରି ନିଜ ହେପାଜତକୁ ନେଇଥିବା ଜଣାଯାଇଛି।

ଏହି ୬ ଘଣ୍ଟା ଜେରା ସମୟରେ ସିବିଆଇ ହାତରେ ବହୁ ତଥ୍ୟ ଲାଗିଛି। ଅମୀରଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଡଙ୍କଣୀ। ଦୁର୍ଘଟଣା ପରଠୁ ଅମୀରଙ୍କ ଦେଖାନଥିବା ବେଳେ, ତାଙ୍କ ଭଡ଼ାଘରକୁ ସିଲ୍‌ କରିଥିଲା ସିବିଆଇ। ହେଲେ ଏବେ ଜଣାପଡ଼ିଛି ଦୁର୍ଘଟଣା ପରେ ସେ ଘଟଣା ସ୍ଥଳ ଛାଡ଼ି ପଶ୍ଚିମବଙ୍ଗ ପଳାଇଥିଲେ । ସିବିଆଇ ତଦନ୍ତ ସମୟରେ ଜାଣିବାକୁ ପାଇଛି, ଦୁର୍ଘଟଣା ଦିନ ଅମିର୍‌ ଅନେକ ଥର ଦୁଇଟି ନମ୍ବରରେ କଥା ହୋଇଛି। ଉକ୍ତ ଦୁଇ ନମ୍ବର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । କିଏ ସେ ବ୍ୟକ୍ତି? ତାଙ୍କ ସହ ଅମିରଙ୍କ ଲିଙ୍କ୍‌ କ? ସେ ବିଷୟରେ ଏବେ ସିବିଆଇ ତଥ୍ୟ ଅଣ୍ଡାଲୁଛି। ତାଛଡ଼ା ଅମିର ତାଙ୍କ ମୋବାଇଲ୍‌ରୁ ସୋସିଆଲ୍‌ ମିଡିଆ ଆପ୍‌ରୁ ସବୁ ଡିଲିଟ୍‌ କରି ଦେଇଛନ୍ତି। ସେ ସବୁ କେମିତି ରିକଭର କରାଯିବ ସେ ନେଇ ଲାଗିପଡ଼ିଛି ସିବିଆଇ। ଜେଇ ଅମିର ଜାଣିଶୁଣି ଏହି ଆନ୍ତର୍ଘାତୀ କାର୍ଯ୍ୟ କରିଥିଲେ ନା ନାହିଁ ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ। ସବୁଠାରୁ ବଡ଼ କଥା ହେଲା ଯଦି ଦୁର୍ଘଟଣା ପଛରେ କିଛି ରହସ୍ୟ କି ଆନ୍ତର୍ଘାତୀ କାର୍ଯ୍ୟ ନାହିଁ ତାହେଲେ କଣ ପାଇଁ ଅମୀର ଓଡ଼ିଶା ଛାଡ଼ି ପଶ୍ଚିମବଙ୍ଗ ପଳାଇଥିଲେ।

ପଶ୍ଚିମବଙ୍ଗରେ ଅମୀର କାହା କାହା ସହ ମିଶିଥିଲେ ତାର ଖୋଳତାଡ଼ କରୁଛି ସିବିଆଇ। ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଆର ଟ୍ରାକରେ ଆସୁଥିବା ଯଶୱନ୍ତପୁର-ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ସିବିଆଇ ନେବାପରଠୁ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍‌ ରେକର୍ଡ କରିଛନ୍ତି ସିବିଆଇ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନରେ ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.