ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ବିବନ ବିରୁଦ୍ଧରେ ଚାର୍ଜସିଟ୍‌ ଦାଖଲ କରିବ ସିବିଆଇ

କଟକ,୨୮।୦୩: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ତୃତୀୟ ତଥା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ବିବନ ବିଶ୍ୱାଳ ବିରୋଧରେ ଖୁବ୍‌ଶୀଘ୍ର ସିବିଆଇ ଟିମ୍‌ ଚାର୍ଜସିଟ୍‌ ଦାଖଲ କରିବ। ଏନେଇ ଥିବା ତଦନ୍ତ ପ୍ରକ୍ରିୟାକୁ ସିବିଆଇ ତ୍ୱରାନ୍ୱିତ କରିଛି । ଗତକାଲି ଅଞ୍ଜନା ମିଶ୍ରଙ୍କୁ ପଚରାଉଚରା ସହିତ ବିବନ ବିଶ୍ୱାଳ ଘରେ ସିବିଆଇ ଟିମ୍‌ ଚଢ଼ଉ କରିଥିଲା। ଏଥିସହ ଶନିବାର ସିବିଆଇ ଟିମ୍‌ କଟକ ଆସିଥିଲା । ପୁନେରୁ ବିବନକୁ ଧରି କଟକ ଆଣିଥିବା ପୁଲିସର ସ୍ବତନ୍ତ୍ର ଦଳକୁ ସିବିଆଇ ଅଧିକାରୀମାନେ ପଚରା ଉଚରା କରିଛନ୍ତି।

ସିବିଆଇର ଏକ ଟିମ୍‌ କଟକ ଆସିଥିଲା। ପୁନେରେ ବିବନ ଥିବା ବିଷୟ ପୁଲିସ ଜାଣିବା ପରେ କେମିତି ସେଠାକୁ ଗଲା ଓ ବିବନକୁ ଧରିବାରେ ସଫଳ ହେଲା ତାହା ଆଜି ସିବିଆଇ ଟିମ୍‌ ଜାଣିବା ପାଇଁ କଟକ ଆସିଥିଲା । ପୁଲିସର ସେହି ସ୍ପେସାଲ୍‌ ଟିମ୍‌ର ମୁଖ୍ୟ ଥିଲେ ବାଦାମବାଡ଼ି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର । ତେଣୁ ସିବିଆଇ ଅଧିକାରୀ ଆଜି ବାଦାମବାଡ଼ି ଥାନା ଆସି ରଶ୍ମୀ ମହାପାତ୍ରଙ୍କୁ ପଚରାଉଚରା କରିଛନ୍ତି ।

ଘଟଣା ଜାଣିବା ପରଠାରୁ ବିବନକୁ ଆଣି ସିବିଆଇ କୋର୍ଟରେ ହାଜର କରାଇବା ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ ବିଷୟରେ ଇନ୍ସପେକ୍ଟର ଶ୍ରୀ ମହାପାତ୍ର ସିବିଆଇ ଟିମ୍‌କୁ ସମସ୍ତ ସୂଚନା ଦେଇଛନ୍ତି । ଏପରିକି ବିବନ ପାଖରୁ ପୁନେରୁ ଜବତ ହୋଇଥିବା ଜିନିଷ ବିଷୟରେ ମଧ୍ୟ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ୧୯୯୯ ମସିହା ଗଣଦୁଷ୍କର୍ମ ଘଟଣା ଘଟିବା ସମୟରେ ବିବନର ନିଜସ୍ୱ ପଞ୍ଚାୟତ ବେଲଗଛିଆରେ ସେ ସମୟରେ ଥିବା ସରପଞ୍ଚଙ୍କ ସହିତ ମଧ୍ୟ ସିବିଆଇ କଥା ହୋଇଥିବା ସୂଚନା ମିଳିଛି।

Comments are closed.