ସିବିଏସଇ ୧୦ମ ଫଳାଫଳ ପ୍ରକାଶିତ, ୯୩.୬% ପାସ୍, ଜାରି ହେଲା ନାହିଁ ଟପର ତାଲିକା

ନୂଆଦିଲ୍ଲୀ, ୧୩/୫: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ ଡିଜିଲକରରେ ଅପଲୋଡ୍ କରାଯାଇଛି। ଛାତ୍ରଛାତ୍ରୀ ମାନେ ନିଜର ରେଜଲ୍ଟ ଦେଖିପାରିବେ।

ସିବିଏସଇ ଦଶମ ପରୀକ୍ଷା ଫଳ ୨୦୨୪ ରୋଲ ନମ୍ବର ଦ୍ୱାରା ଅନଲାଇନରେ ଯାଞ୍ଚ କରାଯାଇପାରିବ। ସିବିଏସଇ ଅଫିସିଆଲ ୱେବସାଇଟରେ cbse.gov.in ଏବଂ cbseresults.nic.in ବ୍ୟତୀତ ଏହି ଲାଇଭ୍ ନ୍ୟୁଜରେ ପ୍ରତ୍ୟେକ ବିବରଣୀ ଯାଞ୍ଚ କରିହେବ।

ଚଳିତ ବର୍ଷ ବୋର୍ଡ ଟପର୍ ଙ୍କ ନାମ ଘୋଷଣା କରିନାହିଁ। ତୀବ୍ର ଓ ଅବାସ୍ତବ ପ୍ରତିଯୋଗିତାକୁ ଏଡ଼ାଇବା ପାଇଁ ବୋର୍ଡ ଟପର୍ସଙ୍କ ମେରିଟ୍ ଲିଷ୍ଟକୁ ରୋକିବା ଅଭ୍ୟାସ ଜାରି ରଖିଛି। ସର୍ବୋଚ୍ଚ ମାର୍କ ରଖିଥିବା ୦.୧% ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ମଧ୍ୟ ସିବିଏସଇ ୧୨ଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

Comments are closed.