କଟକଣା ଭିତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

0

ପୁରୀ, ୧୪।୫: ଲକ୍‌ଡାଉନ ବେଳେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ସମସ୍ତ ନୀତି ପାଳନ ହେବ। ଏଭଳି ପର୍ବ ପାଳନକୁ ନେଇ ଶ୍ରୀମନ୍ଦିର ଇତିହାସରେ ନୂତନ ଫର୍ଦ୍ଦ ଲେଖାଯିବ । ଗତବର୍ଷ କୋଭିଡ୍‌ କଟକଣା ଯୋଗୁ ଅକ୍ଷୟ ତୃତୀୟାର ଦୁଇ ମୁଖ୍ୟ ପର୍ବ ବାହାର ଚନ୍ଦନ ଯାତ୍ରା ଓ ତିନିରଥ ନିର୍ମାଣ ଅନୁକୂଳ ପର୍ବ ଶ୍ରୀମନ୍ଦିର ଭିତରେ ପାଳନ ହୋଇଥିଲା । ଏବେ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ଅକ୍ଷୟ ତୃତୀୟା ପର୍ବର ନୀତି ପାଳନ ହେବ। ଆସନ୍ତାକାଲି ଅର୍ଥାତ୍ ୧୫ ତାରିଖରେ ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଦୁଇଟି ମୁଖ୍ୟ ପର୍ବ ପାଳନ ହେବ । ପ୍ରଥମ ହେଉଛି ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ଦ୍ୱିତୀୟ ମୁଖ୍ୟ ପର୍ବ ହେଉଛି ଶ୍ରୀବିଗ୍ରହଙ୍କ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ନିର୍ମାଣ ଅନୁକୂଳ ପର୍ବ । ଶ୍ରୀମନ୍ଦିର ଛତିଶା ନିଯୋଗ ସହମତିରେ ଏହି ଦୁଇ ପର୍ବର ରୂପରେଖ ଓ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ୍‌ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହି ଦୁଇପର୍ବରେ ପୁରୀ ସହରବାସୀ ଓ ଭକ୍ତଙ୍କୁ ଦୂରେଇ ରଖାଯାଇଛି ।

ତଦନୁସାରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ବାହାର ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟ ଆଜି ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ । ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ି ମଙ୍ଗଳ ଆଳତି ଭୋର ୪ଟାରେ ହେବ । ପୂର୍ବାହ୍ନ ଏବଂ ମଧ୍ୟାହ୍ନର ବିଭିନ୍ନ ନୀତି ପରେ ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପାଇଁ ରଥଖଳାକୁ ଆଜ୍ଞାମାଳ ବିଜେ କରିବ । ତା ସହ ମହାପ୍ରଭୁ ବାହାର ଚନ୍ଦନ ଯାତ୍ରାକୁ ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିଜେ କରିବେ । ବଡ଼ଦାଣ୍ଡ ଚନ୍ଦନ ଶୋଭାଯାତ୍ରାରେ ସାମିଲ ହେବେ ପଞ୍ଚ ମହାଦେବଙ୍କ ବିମାନ ଓ ରାମକୃଷ୍ଣଙ୍କ ପାଲଙ୍କି । ରାତି ୧୦ଟାରେ ଚନ୍ଦନ ଠାକୁର ବଡ଼ଦେଉଳ ଫେରିବା ପରେ ଅନ୍ୟ ନୀତି ବଢ଼ି ରାତି ସାଢ଼େ ୧୨ଟା ସୁଦ୍ଧା ଠାକୁରଙ୍କ ରାତି ପହୁଡ଼ ନୀତି ସମ୍ପନ୍ନ କରାଯିବ ।

Leave A Reply

Your email address will not be published.