ଆସନ୍ତା ୪ରେ ଗଜପତି ଓ ୮ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର, ୨୭।୯: ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ସେହିପରି ୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାସହିତ ପ୍ରାୟ ୩୪୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପାରଳାଖେମୁଣ୍ଡିରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାକୁ ୮ତାରିଖରେ ମୁଖ୍ୟମନ୍ତ୍ରୀ ଗସ୍ତ କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ୮ତାରିଖରେ ବାରିପଦା ଗସ୍ତ କରି ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପ୍ରାୟ ୭୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ଜିଲ୍ଲାକୁ ସରକାରୀ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଶାସକ ବିଜେଡି ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ନିଜର ନେତାମାନଙ୍କୁ ବ୍ଲକୱାରି ଦାୟିତ୍ୱ ବଣ୍ଟନ କରିଛି। ମାଲକାନଗିରି, ସୁନ୍ଦରଗଡ଼ ଓ ବଲାଙ୍ଗିର ପରେ ବିଜେଡିର ମନ୍ତ୍ରୀ ଓ ରାଜ୍ୟସ୍ତରୀୟ ନେତାମାନେ ଏହି ଦୁଇ ଜିଲ୍ଲାରେ ମଧ୍ୟ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

ଗଜପତି ଜିଲ୍ଲାରେ ୧୪ ମନ୍ତ୍ରୀଙ୍କ ସମେତ ୪୦ରୁ ଅଧିକ ନେତା ଏବଂ ମୟୂରଭଞ୍ଜ ଜିଲ୍ଲାରେ ୧୭ ମନ୍ତ୍ରୀଙ୍କ ସମେତ ୭୦ରୁ ଅଧିକ ନେତାଙ୍କ ମାଧ୍ୟମରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଗତ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିନଥିବାରୁ ଏବେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି।

Leave A Reply

Your email address will not be published.