ଆସନ୍ତା ୧୪ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ଗସ୍ତ

ଭୁବନେଶ୍ୱର, ୯।୯: ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ସୁନ୍ଦରଗଡ଼ରେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି। କୋଭିଡ୍ କଟକଣା ସତ୍ତ୍ୱେ ୭ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଆସନ୍ତା ୧୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୭ରୁ ଅଧିକ ମନ୍ତ୍ରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ ୪ରୁ ୫ଦିନ ଧରି ଡେରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତା ୧୪ ତାରିଖ ମଙ୍ଗଳବାର ଘଣ୍ଟିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୈତିକ ଫାଇଦା ନେବା ପାଇଁ ଏବେ ୫୦ରୁ ଅଧିକ ରାଜ୍ୟସ୍ତରୀୟ ନେତାଙ୍କୁ ସେପ୍ଟେମ୍ବର ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟା କାର୍ଯ୍ୟକ୍ରମ ବୀରମିତ୍ରପୁରରେ ହେବ ବୋଲି ଜଣାପଡ଼ିଛି।

ବିଜେଡିର ଜଣେ ବରିଷ୍ଠ ମନ୍ତ୍ରୀଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଜିଲ୍ଲାର ମୋଟ ୪ ଲକ୍ଷ ୩୬ ହଜାର ୯୮୯ଟି ପରିବାର ସାମିଲ ଥିବା ବେଳେ ସେମାନଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରାଯିବ। ୧୪ ଲକ୍ଷ ୭୭ ହଜାର ୪୧୯ଟି ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓ ୧୧,୦୬୮ ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ ଥିବାବେଳେ ସମସ୍ତେ ନୂଆ ସ୍ମାର୍ଟ ହେଲଥ କାର୍ଡ ପାଇବେ। ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର ସଂଗଠନ ସୁଦୃଢ଼ ନଥିବାବେଳେ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ମନ୍ତ୍ରୀ ଓ ନେତାମାନଙ୍କୁ ସେଠାରେ ଡେରା ପକାଇ ଏହି କାର୍ଡ ବାଣ୍ଟିବା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ସେଠାରେ ସ୍ଥାନୀୟ ଦଳୀୟ କର୍ମକର୍ତ୍ତାଙ୍କ ସହ ମିଶି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବେ ଓ ଏହା ନବୀନ ସରକାର ସେମାନଙ୍କୁ ଦେଉଛନ୍ତି ବୋଲି ବୁଝାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ ମନ୍ତ୍ରୀମାନଙ୍କୁ ସୁନ୍ଦରଗଡ଼ର ବିଭିନ୍ନ ବ୍ଲକ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କୁଟ୍ରା, ପଦ୍ମନାଭ ବେହେରାଙ୍କୁ ଲାଠିକଟା, ନବକିଶୋର ଦାସଙ୍କୁ ବାରଗାଁ, ଅରୁଣ ସାହୁଙ୍କୁ ବାଲିଶଙ୍କରା, ବିକ୍ରମ ଆରୁଖଙ୍କୁ ବଣାଇ, ଅଶୋକ ପଣ୍ଡାଙ୍କୁ ସୁନ୍ଦରଗଡ଼, ଦିବ୍ୟଶଙ୍କର ମିଶ୍ରଙ୍କୁ ଲହୁଣୀପଡ଼ା, ଜଗନ୍ନାଥ ସାରକାଙ୍କୁ ସବଡେଗା, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଟାଙ୍ଗରପାଲ୍ଲୀ, ପଦ୍ମିନୀ ଦିଆନଙ୍କୁ ସୁନ୍ଦରଗଡ଼ ମ୍ୟୁନିସପାଲଟି, ଟୁକୁନି ସାହୁଙ୍କୁ ଲେଫ୍ରିପଡ଼ା, ତୁଷାରକାନ୍ତି ବେହେରାଙ୍କୁ ବିଶ୍ରା, ରଘୁନନ୍ଦନ ଦାସଙ୍କୁ ନୂଆଗାଁ, ପ୍ରତାପ ଜେନାଙ୍କୁ ରାଜଗାଙ୍ଗପୁର ବ୍ଲକ, ପ୍ରେମାନନ୍ଦ ନାଏକଙ୍କୁ କୋଇଡ଼ା, ପ୍ରଫୁଲ୍ଲ ମଲ୍ଲିକଙ୍କୁ ହେମଗିରି, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୁଆଁରମୁଣ୍ଡା ବ୍ଲକ ଦାୟିତ୍ୱ ଦିଆଯାଇଥିବା ବେଳେ ଉତ୍କଳ ପରିଡ଼ାଙ୍କୁ ବୀରମିତ୍ରପୁର, ଆକାଶ ଦାସ ନାୟକଙ୍କୁ ଗୁରୁଣ୍ଡିଆ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ରାଜଗାଙ୍ଗପୁର ମ୍ୟୁନିସପାଲଟି ଦାୟିତ୍ୱ ଦିଆଯାଇଛି । ଏହି ବିଜେଡି ନେତା ଓ ମନ୍ତ୍ରୀମାନେ ଦଳର ଆଉ ୪୦ଜଣ ରାଜ୍ୟସ୍ତରୀୟ ନେତାଙ୍କ ସହ ସେଠାରେ ବ୍ଲକୱାରି ୪ରୁ ୫ଦିନ ଧରି ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବେ ବୋଲି ଜଣାପଡ଼ିଛି।

Comments are closed.