ଲଗାତର ଦ୍ବିତୀୟ ଦିନରେ ୧୫୦୦ ତଳେ କରୋନା ସଂକ୍ରମଣ

0

ଭୁବନେଶ୍ବର,୨୭/୧୦: ଦଶହରାରେ ଓଡ଼ିଶା ପାଇଁ କିଛିଟା ଆଶ୍ବସ୍ତି ମିଳିଛି। କରୋନା ସଂକ୍ରମଣର ଟେଣ୍ଡ୍‌ ଖସିବାରେ ଲାଗିଛି। ଦୀର୍ଘ ଅଢ଼େଇ ମାସ ପରେ ଗତକାଲି ୧୫୦୦ ତଳକୁ ଦୈନିକ ସଂକ୍ରମଣ ସଂଖ୍ୟା କମିଥିଲା। ଆଜି ସଂକ୍ରମଣ ସଂଖ୍ୟା ଆହୁରି କମିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୦ ଥିଲା ଆଜି ତାହା ୧୨୪୭କୁ ଖସି ଆସିଛି। ଗତ ପ୍ରାୟ ତିନି ମାସ ଧରି କରୋନାରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଏହା ସାମାନ୍ୟ ଆଶ୍ବସ୍ତି କରିଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୨୯ ଥିଲା ବେଳେ ସ୍ଥାନୀୟ ମାମଲା ୫୧୮ ରହିଛି।

ଦୈନିକ ସଂକ୍ରମଣ ସବୁ ଜିଲ୍ଲାରେ କିଛି କିଛି କମିଛି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ବିତୀୟରେ ରହିଛି କଟକ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୦୫। ଏହା ବାଦ୍ ଆଉ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି। ଭଦ୍ରକରେ ୭ ଓ ରାୟଗଡ଼ାରେ ସର୍ବନିମ୍ନ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୨,୮୩,୯୪୨ରେ ପହଞ୍ଚିଛି। ଏହା ମଧ୍ୟରୁ ୨,୬୬,୧୦୫ ଜଣ ସୁସ୍ଥ ହୋଇଗଲେଣି। ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୬,୫୧୨ ରହିଛି।

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଉପରେ ଚାପ ବି କମିବାରେ ଲାଗିଛି। ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନ୍‌ରେ ରହୁଥିବାରୁ ହସ୍ପିଟାଲ୍‌ରେ ୱାର୍ଡରେ ବହୁତ ବେଡ୍‌ ଖାଲି ରହୁଛି। ତେବେ ଗୁରୁତର ରୋଗୀମାନେ ହସ୍ପିଟାଲ୍‌ରେ ଆଡ୍‌ମିଟ୍‌ ହେଉଥିବାରୁ ଆଇସିୟୁରେ ବେଡ୍‌ ଏତେଟା ଖାଲି ରହୁ ନାହିଁ।

ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ‌ଦୈନିକ ୧୦ରୁ ୧୫ ଭିତରେ ରହୁଛି। ଗତକାଲି ୧୪ ଜଣ ପ୍ରାଣ ହରାଇଥିଲା ଆଜି ମୃତକଙ୍କ ସଂଖ୍ୟା ୧୩ ରହିଛି। ଏହା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୪ ଜଣ ରହିଥିଲା ବେଳେ ନୂଆପଡ଼ାରେ ୩ ଜଣ ଅଛନ୍ତି। କେନ୍ଦୁଝର ଓ ଝାରସୁଗୁଡ଼ାରେ ୨ ଜଣ ଲେଖାଏଁ ଏବଂ ମାଲକାନଗିରି ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

 

Leave A Reply

Your email address will not be published.