ନୌସେନା ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି: ୩ ଅଭିଯୁକ୍ତ ଗିରଫ

ଖୋର୍ଧା, ୨୪/୪: ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ତଦନ୍ତ ପ୍ରକ୍ରିୟା ସରିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତମାନେ ଅଗ୍ନିବୀରରେ ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ୩ ଜଣ ଆଇଏନ୍ଏସ୍ ନାଭାଲ ଚିଲିକାରେ କାର୍ଯ୍ୟରତ। ଏମାନଙ୍କର ମଧ୍ୟରୁ ଉତ୍ତର ପ୍ରଦେଶ ବାସନ୍ଦା ଭୂଷଣ ଚାକିରିରୁ ଅବସର ନେଇ ସାରିଛନ୍ତି। ସତ୍ୟମ ଚହର ଆଇଏନ୍ଏସ୍ କେସରୀରେ କାର୍ଯ୍ୟରତ ଅଛନ୍ତି। ବିନୟ କୁମାର ରାୟ ଆଇଏନ୍ଏସ୍ ଚିଲିକାରେ କାର୍ଯ୍ୟରତ ଅଛନ୍ତି। ସନ୍ଦେହ କରାଯାଉଥିବା ଆଉ ୨ ଜଣ ଆଣ୍ଡାମାନ ନିକୋବର ଆଇଏନ୍ଏସ୍ କେଶରୀରେ କାର୍ଯ୍ୟରତ ଅଛନ୍ତି।

ଅଭିଯୁକ୍ତମାନେ ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୧୨ଟି ଆକାଉଣ୍ଟ ଜବତ କରିଛି। ଅଭିଯୁକ୍ତମାନେ ଜଣକ ଠାରୁ ୩୦ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ। ଅଭିଯୁକ୍ତମାନେ ସମସ୍ତ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିଲେ କି ନାହିଁ ତଦନ୍ତ ଜାରି ରହିଛି। ଅନେକ ପ୍ରାର୍ଥୀଙ୍କ ଠାରୁ ନଗଦ ଟଙ୍କା ନେଇଥିଲେ। କିଛି ପ୍ରାର୍ଥୀଙ୍କ ଠାରୁ ୟୁପିଆଇ ମାଧ୍ୟମରେ ଲାଞ୍ଚ ନେଇଥିଲେ।

 

Comments are closed.