‌ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୧୫୦୦ ତଳକୁ ଖସିଲା

କମୁଛି ସଂକ୍ରମଣ ଟ୍ରେଣ୍ଡ୍

ଭୁବନେଶ୍ବର,୨୬/୧୦: ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ଦୈନିକ ସଂକ୍ରମଣ ୨୦୦୦ ତଳକୁ ରହିଲା ପରେ ଆଜି ତାହା ରେକର୍ଡ ପରିମାଣରେ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାହା ମଧ୍ୟରୁ ସଙ୍ଗରୋଧରୁ ୮୫୮ ଥିଲା ବେଳେ ସ୍ଥାନୀୟ ମାମଲା ୬୨୨ ରହିଛି।

ଦୈନିକ ସଂକ୍ରମଣ ସବୁ ଜିଲ୍ଲାରେ କମିଥିଲା ବେଳେ ଆଜି ଅନୁଗୁଳରେ ସର୍ବାଧିକ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାହା ପଛକୁ ମୟୂରଭଞ୍ଜ ୧୧୩ ଓ ଖୋର୍ଦ୍ଧା ୧୧୦ ଆକ୍ରାନ୍ତ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବହୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କରେ ସୀମିତ ରହିଛି। ଦଶହରା ସମୟରେ କରୋନା ଟ୍ରେଣ୍ଡ୍‌ କମିବା ଲୋକମାନଙ୍କୁ ଆଶ୍ବସ୍ତି କରିଛି।

ତେବେ ମୃତ୍ୟୁ ସଂଖ୍ୟା ‌ଆଖିଦୃଶିଆ ଭାବେ କମିପାରି ନାହିଁ। ଆଜି ମଧ୍ୟ ୧୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ାରେ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.