ଭୁବନେଶ୍ୱର, ୨୩/୯: ହକି ଇଣ୍ଡିଆର ସଭାପତି ହେଲେ ହକି ତାରକା ଦିଲୀପ ତିର୍କୀ। ବିନା ପ୍ରତିଦ୍ବନ୍ଦ୍ୱିତାରେ ଦିଲ୍ଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ନିର୍ବାଚିତ ହୋଇଛନ୍ତି।
ଏହା ପୂର୍ବରୁ ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ । ଦିଲୀପ ତିର୍କୀ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ।
ଭାରତୀୟ ହକିର ମହାନ ଖେଳାଳିଙ୍କ ମଧ୍ୟରୁ ଦିଲୀପ ତିର୍କୀ ଅନ୍ୟତମ। ସେ ଦୀର୍ଘ ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଲିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ହକି ଇଣ୍ଡିଆ ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା। ବିହାର ସରକାରଙ୍କ ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ହେଉଛନ୍ତି ଅଜୟ ନାୟକ ।