ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଇ-କେୱାଇସି ଅପ୍‌ଡେଟ୍‌ ଅବଧି: ୩୪୧ କେନ୍ଦ୍ରରେ ଦୁର୍ବଳ ନେଟ୍‌ୱର୍କ ପାଇଁ ଦେଖାଦେଉଛି ସମସ୍ୟା

ଭୁବନେଶ୍ବର, ୧୬/୨: ରାଜ୍ୟ ସରକାର ଇ-କେୱାଇସି ଅପ୍‌ଡେଟ୍‌ ଅବଧିକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନେଟ୍‌ୱର୍କ ସମସ୍ୟା ପାଇଁ ଏହି ଅବଧିକୁ ବଢ଼ାଯାଇଛି। ଆଜି ଇ-କେୱାଇସି ଅପ୍‌ଡେଟ୍‌ କରିବାର ଶେଷ ତାରିଖ ରହିଥିଲା। ଏହାକୁ ମିଶାଇ ରାଜ୍ୟ ସରକାର ଏହି ଅବଧିକୁ ପଞ୍ଚମ ଥର ଲାଗି ବଢ଼ାଇଛନ୍ତି। ଯେଉଁମାନେ ଇ-କେୱାଇସି କରି ପାରିନାହାନ୍ତି ସେମାନଙ୍କୁ ପୁଣିଥରେ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନେଟ୍‌ୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାଇସି ଅପ୍‌ଡେଟ୍‌ କରିବାରେ ଅସୁବିଧା ହୋଇଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ଅବଧିକୁ ବଢ଼ାଯାଇଛି। ରାଜ୍ୟରେ ୩୪୧ ପଏଣ୍ଟରେ ନେଟ୍‌ୱର୍କ ଡିଭାଇସ୍‌ ଲଗାଯିବ। ୧୧୧ଟି ସ୍ଥାନରେ ସ୍ଲୋ ନେଟ୍‌ୱର୍କ ଓ ୨୩୦ ସ୍ଥାନରେ ଜିରୋ ନେଟ୍‌ୱର୍କ ଅଛି। ଏହାସହ ଅନ୍ୟ ରାଜ୍ୟରେ ଥିବା ଲୋକମାନେ ମଧ୍ୟ ନିଜର ତଥ୍ୟ ଅପ୍‌ଡେଟ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଥିବା ୩କୋଟି ୩୨ଲକ୍ଷ ୩୩ହଜାର ୩୧୧ଜଣ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨କୋଟି ୯୯ଲକ୍ଷ ୮ହଜାର ୪୫୭ଜଣ ନିଜର ଇ-କେୱାଇସି କରିସାରିଲେଣି।

ରାଜ୍ୟ ବାହାରେ ଥିବା ୧ଲକ୍ଷ ୩୫ହଜାର ୨୫୮ଜଣ ଏଥିରେ ସାମିଲ ଅଛନ୍ତି। ୯୦% ହିତାଧିକାରୀ ନିଜର ଇ-କେୱାଇସି ଅପ୍‌ଡେଟ୍‌ କରିଛନ୍ତି। ତଥାପି ୩୩ଲକ୍ଷ ୨୪ହଜାର ୮୫୪ଜଣଙ୍କ ଇ-କେୱାଇସି ଅପ୍‌ଡେଟ୍‌ ହୋଇନାହିଁ। ତେବେ କୌଣସି ସମସ୍ୟା ଥିଲେ ଟୋଲ୍‌ ଫ୍ରି ନମ୍ବର ୧୯୬୭କୁ କଲ୍‌ କରିବାକୁ କୁହାଯାଇଛି। ରାଜ୍ୟରେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଗତବର୍ଷ ଜୁନ୍ ମାସରୁ ଇ-କେୱାଇସି ଅପ୍‌ଡେଟ୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାଭିତରେ ବିଭିନ୍ନ ପର୍ଯ୍ୟାୟରେ ଏହାର ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

 

Comments are closed.