ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂ-କମ୍ପ

ନୂଆଦିଲ୍ଲୀ, ୧୨।୨: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟ। ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀର ଥିବା ଜଣାପଡ଼ିଛି। ତେବେ ଏହାର ଝଟକା ଜମ୍ମୁ-କଶ୍ମୀର ସମେତ ପଞ୍ଜାବ, ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଅନୁଭୂତ ହୋଇଛି।

ଆଜି ସନ୍ଧ୍ୟା ୧୦.୩୪ରେ ଲୋକମାନେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କିଛି ରିପୋର୍ଟରେ ଭୂକମ୍ପର କେନ୍ଦ୍ର ସ୍ଥଳ ଜମ୍ମୁ-କଶ୍ମୀର କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଏହାର କେନ୍ଦ୍ରସ୍ଥଳ ପଞ୍ଜାବର ଅମୃତସର ବୋଲି କୁହାଯାଇଛି। ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍‌ ସେସ୍‌ମୋଲୋଜି କହିଛି, ପ୍ରଥମେ ଭୂକମ୍ପ ୧୦.୩୧ରେ ତାଜିକସ୍ତାନରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଥିଲା। ଏହାପରେ ୧୦.୩୪ ସମୟରେ ପଞ୍ଜାବର ଅମୃତସର ଓ ଜମ୍ମୁ-କଶ୍ମୀରରେ ୬.୧ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା।
ରିପୋର୍ଟ ଲେଖା ହେବା ବେଳକୁ କ୍ଷୟକ୍ଷତି ସମ୍ପର୍କରେ କିଛି ବି ଜଣାପଡ଼ିନାହିଁ। କିନ୍ତୁ ଝଟକା ପରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

Comments are closed.