ଉପଭୋକ୍ତାଙ୍କୁ ଆଶ୍ବସ୍ତି: ସ୍ମାର୍ଟ ମିଟର ଭଡାରେ ରିହାତି, ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ

ଭୁବନେଶ୍ବର, ୨୪/୩: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ସୋମବାର ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ଗ୍ରାହକ ଅନୁକୂଳ ପଦକ୍ଷେପ ଘୋଷଣା କରିଛି।

ସଦ୍ୟତମ ଘୋଷଣା ଅନୁଯାୟୀ, ୨ କିଲୋୱାଟ ପର୍ଯ୍ୟନ୍ତ ସଂଯୁକ୍ତ ଲୋଡ୍ ସହିତ ସ୍ମାର୍ଟ ମିଟର ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏବେ ମାସିକ ମିଟର ଭଡା ଦେବାରୁ ମୁକ୍ତ ହେବେ। ଏହି ପଦକ୍ଷେପ ଦ୍ୱାରା ବହୁ ସଂଖ୍ୟକ ଘରୋଇ ଉପଭୋକ୍ତା ଉପକୃତ ହେବେ। ଯାହା ସେମାନଙ୍କର ସାମଗ୍ରିକ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପର ଲକ୍ଷ୍ୟ ନଗଦହୀନ କାରବାରକୁ ଉତ୍ସାହିତ କରିବା ଏବଂ ଗ୍ରାହକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରିବା।

ଏହା ବ୍ୟତୀତ, ଗ୍ରାହକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେବା ପାଇଁ, ଓଇଆରସି ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ୨୦୨୧-୨୨ ପରଠାରୁ ବିଦ୍ୟୁତ ଶୁଳ୍କରେ କୌଣସି ବୃଦ୍ଧି ହୋଇନାହିଁ। ଏହି ନୂତନ ଘୋଷଣା ଦ୍ବାରା ପରିବାର ଏବଂ ବ୍ୟବସାୟ ପାଇଁ ବିଦ୍ୟୁତ୍‌ର ସୁଲଭତାକୁ ସୁନିଶ୍ଚିତ କରିବ।

 

Comments are closed.